ମୁମ୍ବାଇ: ନିଜର ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପଞ୍ଜାବୀ ଗାୟକ ମିକା ସିଂହ। ବିଭିନ୍ନ ଭାଷାରେ ଗୀତ ଗାଇ ସାରିଥିବା ମିକା ୨୦୨୦ ମସିହାରେ ପ୍ରଯୋଜନା କରିବାକୁ ଇଚ୍ଛା କରି ଏକ ୱେବ ସିରିଜର ପ୍ରଯୋଜନା କରିବେ ବୋଲି ଚିନ୍ତା କରିଥିଲେ। ପ୍ରଯୋଜନା ବିଷୟରେ ବିଶେଷ କିଛି ଜଣାନଥିବାରୁ ସେ ସଫଳ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ସହ ହାତ ମିଳାଇଥିଲେ। ତାଙ୍କର ପ୍ରଥମ ପ୍ରଯୋଜିତ ୱେବ ସିରିଜ୍ ଥିଲା 'ଡେଞ୍ଜରିୟସ୍'। ଏଥିପାଇଁ ସେ ବିକ୍ରମଙ୍କ ଟିମକୁ ନେଇ ନିର୍ମାଣ କରିବେ ବୋଲି ଚିନ୍ତା କରିବା ସହ ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ହିରୋ ଭାବେ ନେବାକୁ ଚିନ୍ତା କରିଥିଲେ। ବଜେଟ କମ ଥିବାରୁ ତାଙ୍କ ବିପକ୍ଷରେ ସେ ଜଣେ ନବାଗତାକୁ ନେବାକୁ ଚିନ୍ତା କରୁଥିବା ବେଳେ କରଣଙ୍କ ପତ୍ନୀ ତଥା ଅଭିନେତ୍ରୀ ବିପାଶା ବସୁ ସ୍ବାମୀଙ୍କ ସହ କାମ କରିବାକୁ ଇଚ୍ଛା ଜାହିର୍ କରିଥିଲେ।

Advertisment

ବାଧ୍ୟ ହୋଇ ‌ମିକା ଦୁହିଁଙ୍କୁ ନେଇଥିବା ବେଳେ ତାଙ୍କୁ କେଉଁ ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା, ତାହା ଜଣାଇଛନ୍ତି ମିକା। ମିକାଙ୍କ କହିବା ମୁତାବକ, "ବଜେଟ କମ ଥିବା ଜାଣି ଦୁହେଁ କମ ପାରିଶ୍ରମିକରେ କାମ କରିବାକୁ ରାଜି ହୋଇଥିଲେ। ‌ହେଲେ ତାଙ୍କ ସହ କାମ କରିବାର ଅଭିଜ୍ଞତା ବହୁତ ଖରାପ ଥିଲା। ୩ମାସର ସୁଟିଂ ୬ମାସରେ ଶେଷ ହେଲା। ମାସେ ପାଇଁ ୫୦ଜଣିଆ ଟିମକୁ ନେଇ ମୁଁ ଲଣ୍ଡନ ଯାଇଥିଲି। ହେଲେ ସୁଟିଂ ଶେଷ ହେଉ ହେଉ ମାସେରୁ ୨ମାସ ହୋଇଗଲା। ଏହାର କାରଣ ଥିଲେ କରଣ-ବିପାଶା। ଦୁହେଁ ବିବାହିତ ଥିବାରୁ ମୁଁ ସେମାନଙ୍କ ପାଇଁ ଗୋଟାଏ ରୁମ୍ ବୁକ୍ କରିଥିଲି। କିନ୍ତୁ ଆମକୁ ଅଲଗା ରୁମ୍ ଦରକାର ବୋଲି ଦୁହେଁ କହିଥିଲେ। କିଛି ଦିନର ସୁଟିଂ ପରେ ଦୁହେଁ ଅଲଗା ହୋଟେଲକୁ ଯିବାକୁ ଚାହିଲେ। ମୁଁ ତାହା ମଧ୍ୟ କରିଥିଲି। ସୁଟିଂ ବେଳେ ସ୍ବାମୀ-ସ୍ତ୍ରୀ ହୋଇ ବି ଦୁହେଁ ପରସ୍ପରକୁ ଚୁମ୍ବନ ଦେବାକୁ ପଛଘୁଞ୍ଚା ଦେଉଥିଲେ। ଏମାନେ ବଡ଼ ବଡ଼ ପ୍ରଯୋଜକଙ୍କ ଆଗରେ ମୁଣ୍ଡ ନୁଆଁଉଥିବା ବେଳେ ଆମ ଭଳି ଛୋଟ ପ୍ରଯୋଜକଙ୍କ ଆଗରେ ଏଭଳି ନଖରା ଦେଖାନ୍ତି। ଏତେ ସବୁ ପରେ ବି ୱେବସିରିଜ୍ ଫ୍ଲପ ହୋଇଥିଲା। ଏମାନଙ୍କୁ ନନେଇ ନିଜେ ଅଭିନୟ କରିଥିଲେ ହୁଏତ ଭଲ ହୋଇଥାନ୍ତା।"