ନୂଆଦିଲ୍ଲୀ : ଟେଲିଭିଜନରେ ଜୀବନସାଥୀ ବାଛିବାର ଟ୍ରେଣ୍ଡ୍ ବହୁତ ଆଗରୁ ଚାଲି ଆସିଛି। ଏହି କ୍ରମରେ ଏବେ ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ରିଆଲିଟି ସୋ’ ମାଧ୍ୟମରେ ତାଙ୍କ ପାଇଁ ଜୀବନସାଥୀ ଖୋଜିବେ ବୋଲି ଖବର ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମିକା ସିଂଙ୍କ ରିଆଲିଟି ସୋ’ ସ୍ବୟଂବର ସୋ’ ଭଳି ହେବ। ତେବେ ଶୁଣିବାକୁ ମିଳୁଛି ଏହି ସୋ’ରେ ମିକା ବିବାହ କରିବେ ନାହିଁ, କେବଳ ବାଛିଥିବା ସାଥୀଙ୍କ ସହିତ ତାଙ୍କର ନିର୍ବନ୍ଧ ହେବ । ଏହାପରେ ସେମାନେ ସେମାନଙ୍କର ସମ୍ପର୍କକୁ ଆଗକୁ ବଢାଇବେ । ତେବେ ଏହି ସୋ’ରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।
ଏହି ସୋ’କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି କି, ମିକା ସିଂଙ୍କ ଏହି ସ୍ବୟଂବରରେ ରାକ୍ଷୀ ସାୱନ୍ତଙ୍କୁ ମଧ୍ୟ ପ୍ରତିଯୋଗୀ ଭାବରେ ଦେଖିବାକୁ ପାଇବେ ଦର୍ଶକ । ମିକାଙ୍କ ଏହି ସୋ’ଟି ଅଳ୍ପଦିନ ମଧ୍ୟରେ ଟେଲିଭିଜନରେ ପ୍ରସାରିତ ହେବାକୁ ଥିବା ବେଳେ ଦର୍ଶକ ସୋ’କୁ ବେଶ ପସନ୍ଦ କରିବେ ବୋଲି ଆଶା ରଖାଯାଇଛି।
ମିକା ସିଂଙ୍କ ପୂର୍ବରୁ ଜାତୀୟ ଟେଲିଭିଜନରେ ରାକ୍ଷୀ ସାୱନ୍ତ, ରତନ ରାଜପୁତ, ରାହୁଲ ମହାଜନ ଏବଂ ମଲ୍ଲିକା ଶେରାୱତ୍ ସ୍ବୟଂବର କରିଥିବାର ନଜର ଆସିଥିଲେ । ଏତଦ ବ୍ୟତୀତ ଓଲିଉଡ ନାୟିକା ଜିନା ସାମଲ ବି ଟେଲିଭିଜନ ଜରିଆରେ ସ୍ବଂୟବର କରି ଜୀବନସାଥୀ ବାଛିଥିଲେ। ଯାହାଙ୍କୁ ସେ ବିବାହ କରି ସୁଖଶାନ୍ତିରେ ଘର ସଂସାର କରିଛନ୍ତି।