ମିକାଙ୍କ ସ୍ବୟଂବର ବିଜୟିନୀ ଆକାଂକ୍ଷା

ଉପଯୁକ୍ତ ଜୀବନସାଥୀ ସନ୍ଧାନରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ମିକା ସିଂହ ସ୍ବୟଂବର ଆୟୋଜନ କରିଥିଲେ। ‘ସ୍ବୟଂବର: ମିକା ଦି ବୋଟି’ ନାମରେ ଏହି ଉତ୍କଣ୍ଠାପୂର୍ଣ୍ଣ କାର୍ଯ୍ୟକ୍ରମଟି ଜାତୀୟ ଟେଲିଭିଜନ୍‌ରେ ଦୁଇମାସ ହେଲା ପ୍ରସାରିତ ହୋଇଆସୁଥିଲା। ଏହାର ଶେଷ ଅଧ୍ୟାୟ ସୋମବାର ଦିନ ପ୍ରସାରିତ ହୋଇଛି, ଯେଉଁଥିରେ ଅଭିନେତ୍ରୀ-ମଡେଲ୍‌ ଆକାଂକ୍ଷା ପୁରୀ ମିକାଙ୍କ ହୃଦୟ ଜିଣିନେଇ ବିଜେତ୍ରୀ ଘୋଷିତ ହୋଇଛନ୍ତି। ମିକାଙ୍କୁ ବିବାହ କରିବାକୁ ଚାହୁଥିବା ଅନେକ ମହିଳାଙ୍କ ମଧ୍ୟରୁ ମିକା ତିନି ଜଣଙ୍କୁ ଶେଷ ପର୍ଯ୍ୟାୟ ପାଇଁ ବାଛିଥିଲେ। ସେମାନେ ହେଉଛନ୍ତି ପ୍ରନ୍ତିକା ଦାସ, ନୀତ ମହାଲ ଓ ୱାଇଲ୍ଡ କାର୍ଡ ଯୋଗେ ପ୍ରବେଶ କରିଥିବା ଆକାଂକ୍ଷା। ତିନିହେଁ ମିକାଙ୍କର ପ୍ରିୟ ଥିଲେ।

ତେବେ ଆକାଂକ୍ଷାଙ୍କ ସହିତ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ରହିଆସିଥିବା ଘନିଷ୍ଠ ବନ୍ଧୁତ୍ବକୁ ସେ ଦାମ୍ପତ୍ୟ ରୂପ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପ୍ରସିଦ୍ଧ ଗାୟକ ଶାନ ‘ଷ୍ଟାର୍‌ ଭାରତ’ରେ ପ୍ରସାରିତ ଏହି ସ୍ବୟଂବର କାର୍ଯ୍ୟକ୍ରମର ଉପସ୍ଥାପକ ଥିଲେ। ଆକାଂକ୍ଷା ତାଙ୍କୁ ସବୁଠାରୁ ଭଲଭାବେ ଜାଣିଥିବାରୁ ତାଙ୍କୁ ସେ ଜୀବନସାଥୀ ରୂପେ ବାଛିଲେ ବୋଲି କଣ୍ଠଶିଳ୍ପୀ ମିକା କହିଛନ୍ତି। ସେମାନେ ଏହି କାର୍ଯ୍ୟକ୍ରମର ମଞ୍ଚରେ ବିବାହ କରି ନ ଥିଲେ ହେଁ ମିକା ଆକାଂକ୍ଷାଙ୍କୁ ଫୁଲମାଳ ପିନ୍ଧାଇ ନିକଟ ଭବିଷ୍ୟତରେ ବିବାହ କରିବେ ବୋଲି ଇଙ୍ଗିତ କରିଛନ୍ତି। ମିକା ବିବାହ କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ପୂର୍ବରୁ କ୍ୟାମେରାରୁ ଦୂରରେ ଆକାଂକ୍ଷାଙ୍କ ସହିତ ସମୟ କାଟିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି।

ସେ ଆକାଂକ୍ଷାଙ୍କ ପିତାମାତାଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ ମଧ୍ୟ ନେଇଛନ୍ତି। ଦକ୍ଷିଣ ଭାରତୀୟ ସିନେମାରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଆକାଂକ୍ଷା ୨୦୧୫ରେ ‘କ୍ୟାଲେଣ୍ଡର ଗର୍ଲସ୍‌’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‌ରେ ପାଦ ଦେଇଥିଲେ। ଲୋକପ୍ରିୟ ଟିଭି ଧାରାବାହିକ ‘ବିଘ୍ନହର୍ତ୍ତା ଗଣେଶ’ରେ ଦେବୀ ପାର୍ବତୀଙ୍କ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିନେଇଥିଲେ। ପୂର୍ବରୁ ପୁରୁଷବନ୍ଧୁ ପାରସ ଛାବଡ଼ାଙ୍କ ସହିତ ସମ୍ପର୍କ ନେଇ ସେ ଚର୍ଚ୍ଚିତ ରହିଥିଲେ। ତେବେ ‘ବିଗ୍‌ ବସ୍‌ ୧୩’ କାର୍ଯ୍ୟକ୍ରମରେ ପାରସଙ୍କ ସହିତ ସେ ସମ୍ପର୍କ ଛିନ୍ନ କରିଥିଲେ। ଏବେ ସେ ମିକାଙ୍କ ସହିତ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର