ଲକଡାଉନରେ ୪୨ ଲିଟର ମା’ କ୍ଷୀର ଦାନ କଲେ ଏହି ପ୍ରଯୋଜିକା

ମୁମ୍ବାଇ: ନବଜାତ ଶିଶୁ ହେଉ ବା ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କ ପାଇଁ ମା କ୍ଷୀର ବହୁତ ଗୁରୁତ୍ୱ ରଖେ | ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଙ୍କୁ ମା କ୍ଷୀର ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ନିଧି ପରମାର | ୪୨ ବର୍ଷୀୟ ନିଧି ପରମାର ହିରାନନ୍ଦାନୀ କିଛି ଦିନ ତଳେ ତାଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ | ତେବେ ନିଧି ଏବେ ଏଭଳି କିଛି କାମ କରିଛନ୍ତି, ଯାହାକୁ ନେଇ ସେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି |

କାରଣ ନିଧି ଯେତେବେଳେ ଜାଣିଲେ ଯେ ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ପରେ ବି ସେ ଅନ୍ୟ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇପାରିବେ ସେତେବେଳେ ମା କ୍ଷୀର ଦାନ ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ | ଆଉ ଆମେରିକାରେ ମା କ୍ଷୀର ଦାନ କରାଯାଉଥିବାବେଳେ ଭାରତରେ କିଭଳି ହୋଇପାରିବ ସେ ନେଇ ଉପାୟ ଖୋଜିଥିଲେ | ଏହା ପରେ ମୁମ୍ବାଇର ଏକ ମେଡିକାଲ ସହ ସେ ଯୋଗାଯୋଗ କରିଥିଲେ | ହେଲେ ସେତେବେଳେକୁ ଲକଡାଉନ ଆରମ୍ଭ ହୋଇଯାଇଥିଲା | ଆଉ ମେଡିକାଲ ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲା ଯେ ମେଡିକାଲ କର୍ମଚାରୀ ନିଧିଙ୍କ ଘରକୁ ଯାଇ କ୍ଷୀର ସଂଗ୍ରହ କରିବେ |

ଏହା ପରେ ମୁମ୍ବାଇର ସୂର୍ଯ୍ୟ ହସ୍ପିଟାଲ ପକ୍ଷରୁ ଏ ପର୍ଯ୍ୟନ୍ତ ୪୨ ଲିଟର ମା କ୍ଷୀର ସଂଗ୍ରହ କରାଯାଇଛି | ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୋଇଥିବା ଓ କମ ଓଜନ ଥିବା ୬୦ ଜଣ ଶିଶୁଙ୍କୁ ଏହି କ୍ଷୀର ଦିଆଯାଇଥିଲା | ନିଧି କହିଛନ୍ତି ଯେ, ‘ମୁଁ ଡାକ୍ତରଖାନାରେ ଦେଖିଥିଲି ଯେ ପ୍ରାୟ ୬୦ଜଣ ପିଲା ଅଛନ୍ତି ଯେଉଁମାନେ ମା’ କ୍ଷୀର ଆବଶ୍ୟକ କରନ୍ତି ଏବଂ ମୁଁ ସେତେବେଳେ ନିଷ୍ପତ୍ତି ନେଇଥିଲି ଯେ ଏହି ପିଲାମାନଙ୍କୁ କ୍ଷୀର ଦାନ କରିବାକୁ ଏକ ବର୍ଷ ପାଇଁ ଚେଷ୍ଟା କରିବି | ଆଉ ସେଥିପାଇଁ ଏଭଳି ଉଦ୍ୟମ କରିଥିଲି’ | ସୂଚନା ଥାଉ କି ବଲିଉଡ ଚଳଚ୍ଚିତ୍ର ‘ସାଣ୍ଢ କି ଆଁଖ’ର ପ୍ରଯୋଜନା ଭାର ନିଧି ସମ୍ଭାଳିଥିଲେ |

ସମ୍ବନ୍ଧିତ ଖବର