ଆଲବମ୍‌ ‘ମୁଁ ବିଜୁବାବୁ ପରି ହେବି’ରେ ମନ୍ତ୍ରୀ ଓ ବିଧାୟକ

ଓଲିଉଡ୍‌ ସଂଗୀତ ନିର୍ଦେଶକ ଜାପାନୀ ଭାଇଙ୍କ ନୂଆ ମ୍ୟୁଜିକ୍‌ ଆଲବମ୍‌ ‘ମୁଁ ବିଜୁବାବୁ ପରି ହେବି’ ଏବେ ବେଶ୍ ଚର୍ଚ୍ଚାରେ। ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଥିବା ଏହି ଆଲବମ୍‌ରେ ୬ ଜଣ ମନ୍ତ୍ରୀ ଓ ୩ ଜଣ ବିଧାୟକ ଅଭିନୟ କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଆଇନମନ୍ତ୍ରୀ ପ୍ରତାପ ଜେନା, ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ସହ ବିଧାୟକ ସୁଶାନ୍ତ ରାଉତ, ବ୍ରଜ ପ୍ରଧାନ ଓ ପ୍ରଶାନ୍ତ ମୁଦୁଲି ଏଥିରେ ଅଭିନୟ କରିଛନ୍ତି। ସେହିଭଳି ବିଜେଡି ମିଡିଆ ସେଲ୍‌ ଅଧ୍ୟକ୍ଷ ମାନସ ମଙ୍ଗରାଜ ମଧ୍ୟ ଏଥିରେ ଏକ ସ୍ବତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବେ।

ସଂଗୀତ ନିର୍ଦେଶକ ଜାପାନୀ ୨୦୧୯ ନିର୍ବାଚନ ବେଳେ ‘ନବୀନ ନବୀନ’ ପପୁଲାର୍ ଗୀତର ସଂଗୀତ ନିର୍ଦେଶନା ଦେଇଥିଲେ। ଏହି ଗୀତଟି ଦର୍ଶକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା। ତେଣୁ ଏଥର ମଧ୍ୟ ଏହି ମ୍ୟୁଜିକ୍ ଆଲବମ୍‌ ଲୋକଙ୍କ ପ୍ରଶଂସା ପାଇବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଲବମ୍‌କୁ ଉନ୍ମୋଚନ କରିବେ ବୋଲି ସୂଚନା ମିଳିଛି। ଏଥିରେ ବିଜୁବାବୁଙ୍କ ଜୀବନୀ ଓ ଗାଥାର ଝଲକ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର