ନୂଆଦିଲ୍ଲୀ : ଆମ ଦେଶର ଯୁବପିଢ଼ିଙ୍କ ଭିତରୁ ଅନେକ ଗ୍ଲାମର ଦୁନିଆକୁ ଆସିବା ପାଇଁ ଉଦ୍ୟମ ଚଲାଇଛନ୍ତି । ତେବେ ମଡେଲିଙ୍ଗ ଦୁନିଆକୁ ଆସିବାକୁ ଚାହୁଁଥିବା ଯୁବତୀମାନେ ସାଧାରଣତଃ ମିସ ଇଣ୍ଡିଆ ହେବାର ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଏମିତି କି ନିଜର ଅସ୍ତିତ୍ୱ ମଧ୍ୟ ହରାଇବାକୁ ପଡ଼ିଥାଏ ବୋଲି କହିଛନ୍ତି ପୂର୍ବତନ ମିସ ଇଣ୍ଡିଆ ଶୋଭିତା ଧୂଲିପଲା। ୨୦୧୩ ଫେମିନା ମିସ ଇଣ୍ଡିଆରେ ଭାଗ ନେଇ ବିଜେତା ହୋଇଥିଲେ ଶୋଭିତା । ନିକଟରେ ସେ କହିଛନ୍ତି, ‘ମିସ ଇଣ୍ଡିଆ ପ୍ରତିଯୋଗିତା ବହୁ କଠିନ । ଏହି ମୁକୁଟ ଜିତିବା ଲାଗି ମୋ ଆତ୍ମସମ୍ମାନକୁ ବହୁତ ଅଘାତ ପହଞ୍ଚିଛି । ମିସ ଇଣ୍ଡିଆ ଜିତିବା ରାସ୍ତାରେ ମତେ ବହୁ ପ୍ରକାରର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା।’
ସେ କହିଛନ୍ତି ,‘ମୋ ସାଙ୍ଗମାନେ ମତେ ମିସ ଇଣ୍ଡିଆରେ ଭାଗ ନେବା ପାଇଁ ବାଧ୍ୟ୍ୟ କରିଥିଲେ । ମୁଁ ମୋ ସାଙ୍ଗମାନଙ୍କୁ ଦେଖେଇବାକୁ ଯାଇ ଏହାର ପ୍ରଥମ ସ୍ତର ପାର କରିବାପାଇଁ ଚାହୁଁଥିଲି। ମୁଁ ପ୍ରଥମ ସ୍ତର ଜିତିବା ପରେ ମତେ ଆହୁରି ଆଗକୁ ଯିବା ପାଇଁ ଇଛା ହେଲା । ମିସ ଇଣ୍ଡିଆ ମୁକୁଟ ଜିତିବା ପରେ ପ୍ରଥମ ଥର ପାଇଁ ମତେ ସମ୍ମାନ ମିଳିଥିଲା । କିନ୍ତୁ ଏହି ସଫଳତା ପାଇବା ଚକ୍କରରେ ମୁଁ ନିଜେ ନିଜଠାରୁ ଦୂରକୁ ପଳାଇଥିଲି। ମୁଁ ହୋଇଯାଇଥିଲି ଆଉ କେହି ଜଣେ ବ୍ୟକ୍ତି । ମୁଁ ଏପରି ହୋଇଯାଇଥିଲି କି, ମନ ଭିତରେ ଯାହା ମଧ୍ୟ ହେଉ କେବଳ ଅନ୍ୟମାନଙ୍କ ମନୋରଞ୍ଜନ କରୁଥିଲି ଏବଂ ସେମାନଙ୍କୁ ଆର୍କଷିତ କରିବାକୁ ଚେଷ୍ଟା କରୁଥିଲି।’
୨୦୧୩ରେ ମିସ ଇଣ୍ଡିଆ ମୁକୁଟ ଜିତିବା ପରେ ଶୋଭିତା ନିଜ ପରିଚୟକୁ ନେଇ ଅସ୍ପଷ୍ଟ ରହୁଥିଲେ। ତାଙ୍କୁ ଏପରି ଲାଗୁଥିଲା ଯେପରି ତାଙ୍କର କୌଣସି ପରିଚୟ ହିଁ ନାହିଁ । ଶୋଭିତା ଅନୁରାଗ କାଶ୍ୟପଙ୍କ ଚଳଚ୍ଚିତ୍ର ‘ରମନ ରାଘବ’ରେ ନଜର ଆସିଥିଲେ । ସେ ୨୦୧୪ ମସିହାରେ କିଙ୍ଗଫିସରର କ୍ୟାଲେଣ୍ଡରରେ ନଜର ଆସିବା ସହ ବର୍ତ୍ତମାନ ସୈଫ ଅଲ୍ଲୀ ଖାନଙ୍କ ଚଳଚ୍ଚିତ୍ର ‘କାଲାକାଣ୍ଡି’ରେ ଅଭିନୟ କରିଛନ୍ତି।