ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ବିବାଦୀୟ ସିନେମା ‘ପଦ୍ମାବତ୍’ପରେ ଏବେ ଏକ ହାଲକା-ଫୁଲକା ସିନେମା ତିଆରି କରୁଥିବା ଜଣାଯାଇଛି।ଏଥିରେ ସେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁରଙ୍କୁ ନାୟିକା ଭୂମିକାରେ ନେବେ ବୋଲି ଚର୍ଚ୍ଚା ହେଉଥିଲା। ଜାହ୍ନବୀ କପୁରଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କର ଅଫିସରୁ ବାହାରୁଥିବାର ଦେଖିବାକୁ ମିଳିଥିଲା। ସେ ଖୁବ୍ ଖୁସି ବି ଜଣା ଯାଉଥିଲେ। ସେଥିରୁ ଅନୁମାନ କରାଯାଉଥିଲା କି ସେ ସଂଜୟଙ୍କ ସହ ଏକ ସିନେମାରେ କାମ କରିବେ। କିନ୍ତୁ ସଂଜୟ ଜାହ୍ନବୀ କପୁରଙ୍କୁ ଏହି ସିନେମାରେ ନ ନେଇ ଜଣେ ନବାଗତାଙ୍କୁ ବ୍ରେକ୍ ଦେଇଛନ୍ତି।
ସେ ହେଲେ ଝଟେଲକା ମାଲହୋତ୍ରା।ଝଟେଲକା ହେଉଛନ୍ତି ଜଣେ ମିସ୍ ଇଣ୍ଡିଆ ଏବଂ ମଡେଲ୍। ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ଏହି ନାମକରଣ ହୋଇ ନଥିବା ସିନେମାରେ ଝଟେଲକାଙ୍କ ସହ ଜଣେ ନବାଗତଙ୍କୁ ଲଞ୍ଚ୍ କରିଛନ୍ତି। ତାଙ୍କର ନାଆଁ ହେଲା ଅନମୋଲ୍ । ସେ ହେଉଛନ୍ତି ବଲିଉଡର ଖ୍ୟାତନାମା ଅଭିନେତ୍ରୀ ପୁନମ୍ ଧିଲୋଁଙ୍କ ପୁଅ। ଇତିମଧ୍ୟରେ ସେହି ସିନେମାର ସୁଟିଂ ଲଣ୍ଡନଠାରେ ଆରମ୍ଭ ହୋଇ ସାରିଛି। ୩୩ଦିନର ସିଡ୍ୟୁଲପରେ ଏହି ସିନେମାର ସୁଟିଂ ମୁମ୍ବାଇଠାରେ କରାଯିବାର ସୂଚନା ମିଳିଛି।