ହିନ୍ଦୀ ଧାରାବାହିକ ‘ନାମକରଣ’ରେ ଅବନୀ ଆୟେଶା ଚରିତ୍ର ପାଇଁ ଦର୍ଶକ ମହଲରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଅଭିନେତ୍ରୀ ଅଦିତି ରାଠୋରଙ୍କ ଏକ ଗୋପନ ଅବସୋସ ତାଙ୍କୁ ଅହରହ ଘାରି ଚାଲିଛି। ସାତ ବର୍ଷର ଅଭିନୟ ଜୀବନ ଭିତରେ ମାତ୍ର ଚାରିଟି ଧାରାବାହିକରେ ଅବତୀର୍ଣ୍ଣ ହୋଇଥିଲେ ହେଁ ସେ ଭିଏତନାମ ସମ୍ମାନ ପରି ଆନ୍ତର୍ଜାତିକ ପୁରସ୍କାର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେଣୁ ସେ ସଂଖ୍ୟାଧିକ ଧାରାବାହିକରେ ପଦାର୍ପଣ ଅପେକ୍ଷା ମାପିଚୁମି ପସନ୍ଦଯୋଗ୍ୟ ଭୂମିକା ଗ୍ରହଣ କରିବାକୁ ପ୍ରାଥମିକତା ଦେଉଛନ୍ତି।

Advertisment

ଅବଶ୍ୟ ସେଥିପାଇଁ ବର୍ଷେ ହେଲା ନିଜର କଳାଚାତୁରୀ ପ୍ରଦର୍ଶନ ପାଇଁ ତାଙ୍କ ହାତରେ କୌଣସି ସୁଯୋଗ ନାହିଁ। ବଡ଼ ପରଦାରେ ଅଭିନୟ କରିବାର ସ୍ବପ୍ନ ମଧ୍ୟ ବାସ୍ତବ ରୂପ ନେଇନାହିଁ। ରାଜସ୍ଥାନର ବିକାନେରଠାରେ ୧୯୯୩ ଅକ୍‌ଟୋବର ୩୦ ତାରିଖରେ ଜନ୍ମିତା ଅଦିତି ପିଲାଟି ବେଳୁ ହିଁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ତେଣୁ ସେ ଅଭିନୟ କ୍ଷେତ୍ରରେ ଜୀବନ ଗଢ଼ିବା ପାଇଁ ମାଟ୍ରିକ୍‌ ଶିକ୍ଷା ପରେ ପରେ ମାୟାନଗରୀ ମୁମ୍ବାଇ ଚାଲି ଆସିଥିଲେ। ସେଠାରେ ଗ୍ଳାମର ଜଗତ୍‌କୁ ତାଙ୍କର ପ୍ରଥମ ପ୍ରବେଶ ହୋଇଥିଲା ୨୦୧୪ରେ ଟିଭି ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’ରେ। ତାହାର ଦୁଇ ବର୍ଷ ପରେ ତାଙ୍କୁ ସୋନି ଟିଭିରେ ପ୍ରସାରିତ ଧାରାବାହିକ ‘ଏକ ଦୁଜେ କେ ବାସ୍ତେ’ରେ ମିଳିଥିବା ପ୍ରୀତି ତିଵାରୀ ଭୂମିକାକୁ ସେ ଏପରି ନ୍ୟାୟ ଦେଇଥିଲେ ଯେ ଅପେକ୍ଷାକୃତ ନବାଗତା ହୋଇ ମଧ୍ୟ ତାଙ୍କୁ ଜଣେ ପୋଖତ କଳାକାର ଭାବେ ସମୀକ୍ଷକମାନେ ଗ୍ରହଣ କରିଥିଲେ।

ତେବେ ତହିଁ ପରବର୍ଷ ଖେଳିଥିବା ଧାରାବାହିକ ‘ନାମକରଣ’ ତାଙ୍କ ପାଇଁ ଆଶାତୀତ ଖ୍ୟାତି ଓ ପ୍ରତିଷ୍ଠା ଆଣିଦେଇଥିଲା। ଏଥିପାଇଁ ତାଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ନବାଗତା ନାୟିକାର ସମ୍ମାନ ମିଳିଥିଲା। ତେବେ ଚିରାଚରିତ ଢଙ୍ଗରେ ସେ କେବଳ ନାୟିକା ଭୂମିକାରେ ନିଜକୁ ସୀମିତ ନରଖି ନିଜର ଦକ୍ଷତାକୁ ଭିନ୍ନ ରୂପରେ ପରଷିବାକୁ ପସନ୍ଦ କରିଥିଲେ। ତେଣୁ ୨୦୨୧ରେ ସେ ଧାରାବାହିକ ‘ଆପ୍‌ କି ନଜରୋଁ ନେ ସମଝା’ରେ ଡ. ଚାର୍ମି ପରି ଏକ ନକାରାତ୍ମକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଦର୍ଶକମାନଙ୍କୁ ମଧ୍ୟ ତାଙ୍କର ଏହି ଭିନ୍ନ ଅବତାର ବେଶ ଆମୋଦିତ କରିଥିଲା। ଲୋକପ୍ରିୟତା ସତ୍ତ୍ବେ ପ୍ରାୟ ବର୍ଷେ ହେଲା ତାଙ୍କ ହାତ ଖାଲି। ଅବଶ୍ୟ ମନ ମୁତାବକ ଚରିତ୍ର ଅପେକ୍ଷାରେ ସେ ଜାଣିଶୁଣି ମିଳୁଥିବା ସୁଯୋଗକୁ ହାତଛଡ଼ା କରି ଚାଲିଛନ୍ତି।