୪ ମାସ ଧରି ନିଖୋଜ ଥିବା ହାସ୍ୟାଭିନେତା ସିଦ୍ଧାର୍ଥ ସାଗରଙ୍କ ପତ୍ତା ମିଳିଲା

ମୁମ୍ବାଇ : କିଛି ଦିନ ତଳେ ସେଲ୍‌ଫି ମାଉସୀ ନାମରେ ପରିଚିତି ପାଇଥିବା ହାସ୍ୟ ଅଭିନେତା ସିଦ୍ଧାର୍ଥ ସାଗରଙ୍କ ନିଖୋଜ ହେବା ଖବର ସାମ୍ନାକୁ ଆସିଥିଲା । ଗତ ୪ ମାସ ଧରି ସେ କେଉଁ ଆଡ଼େ ଚାଲି ଯାଇଥିବା ବେଳେ ପରିବାର ଏବଂ ବନ୍ଧୁମାନଙ୍କ ସହ କୌଣସି ସଂପର୍କ ରଖି ନ ଥିଲେ ବୋଲି ଶୁଣିବାକୁ ମିଳିଥିଲା । ତାଙ୍କ ନିଖୋଜ ହେବା ଖବରକୁ ନେଇ ଅନେକ କଥା ଚର୍ଚ୍ଚା ହେଉଥିବା ବେଳେ ଏବେ ସବୁ ପ୍ରଶ୍ନର ଉତ୍ତର ମିଳିଛି ୪ ମାସ ପରେ ସିଦ୍ଧାର୍ଥ ନିଜେ ସୋସିଆଲ ମିଡ଼ିଆ ସାହାଯ୍ୟରେ ଠିକ୍‌ ଥିବା ଜଣାଇଛନ୍ତି । ତାଙ୍କୁ କେହି ଅପହରଣ କରି ନାହାନ୍ତି ବୋଲି ସେ କହିଥିବା ବେଳେ ସେ ନିଜ ଇଚ୍ଛାରେ ସମସ୍ତଙ୍କ ଠାରୁ ଅଲଗା ରହିଛନ୍ତି ବୋଲି ଜଣାଇଛନ୍ତି । ଏଥି ପାଇଁ ତାଙ୍କ ପରିବାର ଦାୟୀ ବୋଲି ସେ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରିଛନ୍ତି ।
ଅନ୍ୟପକ୍ଷରେ କିଛି ଦିନ ତଳେ ସିଦ୍ଧାର୍ଥଙ୍କ ନିଖୋଜ ହେବା ପଛରେ ତାଙ୍କ ମା’ ଦାୟୀ ବୋଲି ସିଦ୍ଧାର୍ଥଙ୍କ ଜଣେ ସାଙ୍ଗ ଆରୋପ ଲଗାଇଥିଲେ । ସେ ଦେଇଥିବା ସୂଚନା ଅନୁଯାୟୀ, “ସିଦ୍ଧାର୍ଥଙ୍କର ତାଙ୍କ ମା’ଙ୍କ ସହ ଭଲ ସଂପର୍କ ନ ଥିଲା । ସିଦ୍ଧାର୍ଥ ଯାହା ବି ଟଙ୍କା ଆୟ କରୁଥିଲେ ତାଙ୍କ ମା’ତାଙ୍କ ଠାରୁ ନେଇ ଯିବା ସହ ତାଙ୍କୁ ମାଡ଼ ମାରୁଥିଲେ।” ସିଦ୍ଧାର୍ଥଙ୍କ ସାଙ୍ଗଙ୍କ ଏହି ବୟାନ ପରେ ଏନେଇ ସିଦ୍ଧାର୍ଥଙ୍କ ମା’ଙ୍କୁ ପଚରା ଯାଇଥିଲା।ସେ କ’ଣ ପାଇଁ ସିଦ୍ଧାର୍ଥଙ୍କୁ ତାଙ୍କ ସାଙ୍ଗମାନଙ୍କ ସହ ମିଶିବାକୁ ଦେଉ ନାହାନ୍ତି ବୋଲି ପଚରାଯିବାରୁ ଏହା ତାଙ୍କ ବ୍ୟକ୍ତିଗତ ମାମଲା ବୋଲି ସେ କହିଥିଲେ ।

India Today

ସିଦ୍ଧାର୍ଥ ଆମ ସହ ବହୁତ ଖୁସି ଅଛି । ତାର ସାଙ୍ଗମାନେ ମିଛ କଥା ଚାରି ଆଡ଼େ ପ୍ରଚାର କରୁଛନ୍ତି । ସିଦ୍ଧାର୍ଥଙ୍କ ସାଙ୍ଗ ଦେଇଥିବା ସୂଚନା ୧୦୦ପ୍ରତିଶତ ମିଛ ବୋଲି କହିବା ସହ ସେମାନେ ମୋ ପୁଅର ଇମେଜ୍‌ ଖରାପ କରିବା ପାଇଁ ଚାହୁଁଛନ୍ତି ବୋଲି ସିଦ୍ଧାର୍ଥଙ୍କ ମା’ କହିଥିଲେ । ସିଦ୍ଧାର୍ଥଙ୍କ ମା’ଙ୍କ ଏଭଳି ବୟାନକୁ ମିଛ ବୋଲି ସିଦ୍ଧାର୍ଥ ସାଙ୍ଗ କହିଥିଲେ । ସିଦ୍ଧାର୍ଥଙ୍କ ମା’ ତାଙ୍କୁ ମାଡ଼ ମାରିଥିବା ଦିନ ସିଦ୍ଧାର୍ଥ ମୋତେ ଫୋନ କରି ତାଙ୍କ ମା’ଙ୍କ ବ୍ୟବହାର ବିଷୟରେ ଜଣାଇଥିଲେ । ଅଧିକ କିଛି ହେଲେ ସେ ଘର ଛାଡ଼ି ଯିବା ସହ ଏଥି ପାଇଁ ତାଙ୍କ ମା’ ଦାୟୀ ହେବେ ବୋଲି ସେ କହିଥିଲେ । ତେବେ ଏତେ ସବୁ ବିବାଦ ପରେ ସିଦ୍ଧାର୍ଥ ନିଜେ ସାମ୍ନାକୁ ଆସି ଏତେ ଦିନ ନିଖୋଜ ରହିବା ପଛରେ ତାଙ୍କ ପରିବାର ଦାୟୀ ବୋଲି କହିଛନ୍ତି । ଏହା ସହ ସେ ଖୁବ୍‌ ଶୀଘ୍ର ପରଦାକୁ ଫେରିବେ ବୋଲି ମଧ୍ୟ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର