ସିନେଜଗତର କିଂବଦନ୍ତି ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ‘ଦାଦା ସାହେବ ଫାଲ୍କେ’ରେ ସମ୍ମାନିତ କରାଯିବ। ସିନେ-ଶିଳ୍ପରେ ମିଥୁନ ଦା’ ଭାବେ ପରିଚିତ ଏହି ବରିଷ୍ଠ କଳାକାର ଦୁଇଟି ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଥିଲେ। ଏଥିମଧ୍ୟରୁ ପ୍ରଥମଟି ହେଲା ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ‘ସହର ଜଳୁଛି’ ଓ ଦ୍ବିତୀୟଟି ୨୦୦୩ର ଛବି ‘ଏ ଯୁଗର କୃଷ୍ଣସୁଦାମା’।
ସାବିତ୍ରୀ ପିକ୍ଚର୍ସ ବ୍ୟାନର୍ରେ ନିର୍ମିତ ତଥା ସ୍ନେହଲତା ସାହୁଙ୍କ ପ୍ରଯୋଜିତ ‘ସହର ଜଳୁଛି’ ଥିଲା ଏକ ବିଗ୍ ବଜେଟ୍ ଛବି। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଛବିରେ ସିଦ୍ଧାନ୍ତ, ଜ୍ୟୋତି ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ସୂର୍ଯ୍ୟ ମିଶ୍ର, ଚକ୍ରଧର ଜେନା ଓ ସୁଧାଂଶୁ ମୋହନ ସାହୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ମେଗାଷ୍ଟାର୍ ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ପାଇଥିଲେ ଦର୍ଶକ।
‘ସହର ଜଳୁଛି’ ଓ ମିଥୁନ ଦା’ଙ୍କ ସ୍ମୃତି ରୋମନ୍ଥନ କରି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ କହନ୍ତି, ‘‘୧୯୯୯ ମସିହାର କଥା। ଉଟ୍ଟିରେ ‘ସହର ଜଳୁଛି’ର ଦୁଇଟି ଗୀତ ଓ କିଛି ଦୃଶ୍ୟର ସୁଟିଂ ଲାଗି ଆମେ ଲୋକେସନ୍ ଦେଖିବାକୁ ଯାଇଥାଉ। ସେଠି ମିଥୁନ ଦା’ ଏକ ହିନ୍ଦୀ ସିନେମାର ସୁଟିଂ କରୁଥାନ୍ତି। ସେତେବେଳେ ‘ସହର ଜଳୁଛି’ରେ ଆମେ ଜଣେ କ୍ରାନ୍ତିକାରୀ ଯୁବକ ଭୂମିକାରେ କାହାକୁ ନେବୁ, ସେ ନେଇ କିଛି ଠିକ୍ କରିପାରି ନ ଥାଉ। ମିଥୁନ ଦା’ଙ୍କୁ ଦେଖିବା ପରେ ତାଙ୍କୁ ସେହି ଭୂମିକାରେ ନେଲେ ଭଲ ହେବ ବୋଲି ମନକୁ ଆସିଲା। ପ୍ରଯୋଜିକାଙ୍କ ସହମତିରେ ସେହି ସୁଟିଂ ସେଟ୍ରେ ହିଁ ଆମେ ମିଥୁନ ଦା’ଙ୍କୁ ଭେଟି ‘ସହର ଜଳୁଛି’ରେ ଅଭିନୟ କରିବା ଲାଗି ପ୍ରସ୍ତାବ ଦେଲୁ। କିନ୍ତୁ ସେ ମନା କରିଦେଲେ।’’
ବର୍ଷୀୟାନ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ଭାରତୀୟ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲ୍କେ’ ପୁରସ୍କାର ଲାଗି ମନୋନୀତ ହେବା ଓଲିଉଡ୍ ପାଇଁ ଏକ ଖୁସି ଖବର। କାରଣ ମିଥୁନ୍ ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ‘ସହର ଜଳୁଛି’। ଏହି ସିନେମାରେ ଅଭିନୟ ଲାଗି ମିଥୁନ ଦା’ଙ୍କୁ ରାଜି କରାଇବାରୁ ନେଇ ସୁଟିଂ ଶେଷ ହେବାଯାଏର ସ୍ମୃତିକୁ ଉଜ୍ଜୀବିତ କରିଛନ୍ତି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ।
‘‘ଆମେ ନିରାଶ ହୋଇ ଫେରୁଥିଲୁ। କିଛି ସମୟ ପରେ ଦେଖିଲୁ ୟୁନିଟ୍ର କିଛି ଲୋକ ଆମ ପଛେପଛେ ଆସି ମିଥୁନ ଦା’ ଡାକୁଛନ୍ତି ବୋଲି କହିଲେ। ଆମେ ତାଙ୍କ ପାଖକୁ ପୁଣି ଗଲୁ। ସେଠି ସେ ସିନେମାରେ ତାଙ୍କର ଚରିତ୍ର ବିଷୟରେ ଜାଣିବାକୁ ଚାହିଲେ। କାହାଣୀ ଓ ନିଜର ଭୂମିକା ଶୁଣିବା ପରେ ମିଥୁନ ଦା’ ତାଙ୍କ ସେକ୍ରେଟାରିଙ୍କୁ ଡାକି କହିଲେ, ମୁଝେ ୟେ ଫିଲ୍ମ କରନା ହୈ (ମୋତେ ଏ ଫିଲ୍ମ କରିବାର ଅଛି)। ସେମାନେ ଯାହା ବି ପଇସା ଦେବେ, ସେଥିରେ ରାଜି ହୋଇଯିବ।’ ବାସ୍ ତା’ପରେ ଆମର ଖୁସି କହିଲେ ନ ସରେ! ଗଡ଼ ଜିଣିବା ଭଳି ଲାଗୁଥିଲା। ମିଥୁନ ଦା’ ପୁଣି ଓଡ଼ିଆ ଛବିରେ ଅଭିନୟ କରିବେ, କଥାଟା ସ୍ବପ୍ନ ଭଳି ଲାଗୁଥିଲା। ହେଲେ ଏହା ସତ ହେବାକୁ ଯାଉଛି ଜାଣି ଖୁବ୍ ଖୁସି ଲାଗିଲା।’’
‘‘ଡେଟ୍ସ ମିଳିବା ପରେ ଉଟ୍ଟିରେ ସୁଟିଂ ହୋଇଥିଲା। ମିଥୁନ ଦା’ଙ୍କ ଉପରେ ଗୋଟିଏ ଗୀତ, ଗୋଟିଏ ଫାଇଟ୍ ସିନ୍; ଏମିତି ତିନିଟି ସିନ୍ ପିକ୍ଚରାଇଜ୍ ହୋଇଥିଲା। ଏଥିରେ ତାଙ୍କ ସହିତ ବିଜୟ ମହାନ୍ତି ଓ ମିହିର ଦାସଙ୍କ ଭଳି ଓଡ଼ିଆ କଳାକାର ଅଭିନୟ କରିଥିଲେ । ଏହି ସୁଟିଂ ଦୁଇ ଦିନରେ ସରିଥିଲା। ତାଙ୍କର ପ୍ରତିଟି ସଟ୍ ଗୋଟିଏ ଟେକ୍ରେ ଓକେ ହୋଇଥିଲା। ନିଜେ ମିଥୁନ ଦା’ ଓଡ଼ିଆ ଡାଏଲଗ୍ ଘୋଷି କହିଥିଲେ।’’
‘‘ମିଥୁନ ଦା’ ଏତେ ବଡ଼ ଷ୍ଟାର୍ ହେଲେ ବି ଖୁବ୍ ‘ଡାଉନ୍ ଟୁ ଆର୍ଥ’। ତାଙ୍କଠାରୁ ପ୍ରତ୍ୟେକ କଳାକାରଙ୍କୁ ‘ପ୍ରଫେସନାଲିଜିମ୍’ ଶିଖିବା କଥା। ଥରେ ସୁଟିଂ ସେଟ୍ରେ ଚୌକି ନ ଥିବା ଦେଖି ଓଡ଼ିଆ କଳାକାରମାନେ ପାଟିତୁଣ୍ଡ କରିଥିଲେ, ହେଲେ ମିଥୁନ ଦା’ ପାଖରେ ଥିବା ପିଣ୍ଢାରେ ବସି ଯାଇଥିଲେ। ତାଙ୍କର ଏହି ସ୍ବଭାବ ହିଁ ତାଙ୍କୁ ମେଗାଷ୍ଟାର୍ କରିଛି’’ ବୋଲି କହନ୍ତି ସୁଧାଂଶୁ।
-ଶିବଶଙ୍କର ଓଝା