ଫିଲ୍ମ ଦେଖିବାକୁ ଇଚ୍ଛା ଥିଲେ ପାକିସ୍ତାନ ଯାଇ ଦେଖ, ଏଭଳି କାହିଁକି କହିଲା ମହାରାଷ୍ଟ୍ର ନବନିର୍ମାଣ ସେନା

ମୁମ୍ବାଇ: ଦିନେ ଏମିତି ଏକ ସମୟ ଥିଲା ଯେତେବେଳେ ଫୱାଦ ଖାନ ବଲିଉଡର ଅନ୍ୟତମ ପ୍ରିୟ ଅଭିନେତା ଥିଲେ | ‘ଖୁବସୁରତ’, ‘କପୁର ଆଣ୍ଡ ସନ୍ସ’ ଏବଂ ‘ଏ ଦିଲ ହେ ମୁଶ୍କିଲ’ ପରେ ଭାରତରେ ତାଙ୍କର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଥିଲା | ତେବେ ବର୍ତ୍ତମାନ ଖବର ଆସିଛି ଯେ ଭାରତରେ ପାକିସ୍ତାନୀ ତାରକାଙ୍କୁ ବ୍ୟାନ କରାଯାଇଥିବାବେଳେ ନିକଟରେ ଫୱାଦ ଖାନଙ୍କ ସୁପରହିଟ ଫିଲ୍ମ ‘ଦି ଲିଜେଣ୍ଡ ଅଫ ମୋୖଲା ଜଟ’ ଭାରତରେ ମୁକ୍ତିଲାଭ କରିବାକୁ ଯାଉଛି। ବର୍ତ୍ତମାନ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି |

ବାସ୍ତବରେ, ‘ଦି ଲିଜେଣ୍ଡ୍ ଅଫ୍ ମୋୖଲା ଜଟ୍’ ସମଗ୍ର ବିଶ୍ୱରେ ରିଲିଜ କରାଯାଇଥିବାବେଳେ ଫିଲ୍ମର ନିର୍ମାତାମାନେ ଏବେ ଏହାକୁ ଭାରତରେ ମଧ୍ୟ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୩ ଡିସେମ୍ବର ୨୦୨୨ରେ ଏହା ଭାରତରେ ରିଲିଜ ହୋଇପାରେ ବୋଲି କୁହାଯାଉଛି | ଯାହାକୁ ନେଇ ଚିହିଁକି ଉଠିଛି ମହାରାଷ୍ଟ୍ର ନବନିର୍ମାଣ ସେନା ବା ଏମଏନଏସ | ଏମଏନଏସ ନେତା ଅମେୟ ଖୋପକର ଫିଲ୍ମ ରିଲିଜକୁ ବିରୋଧ କରିଛନ୍ତି । ଏମଏନଏସ ନେତା କହିଛନ୍ତି ଯେ ଏକ ଭାରତୀୟ କମ୍ପାନି ଏହି ଫିଲ୍ମକୁ ଭାରତରେ ରିଲିଜ୍ କରିବାକୁ ଯୋଜନା କରୁଛି।

ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ ପାକିସ୍ତାନୀ ଅଭିନେତା ଫୱାଦଙ୍କ ପାକିସ୍ତାନୀ ଚଳଚ୍ଚିତ୍ର ଭାରତରେ ମୁକ୍ତିଲାଭ କରୁଥିବା ଖବର ମିଳିଛି । ଦଳର ସଭାପତି ରାଜ ଠାକରେଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଏହି ଚଳଚ୍ଚିତ୍ରକୁ ଭାରତର କୌଣସି ସିନେମା ହଲରେ ସ୍କ୍ରିନିଂ କରିବାକୁ ଦେବୁ ନାହିଁ। ଅନ୍ୟ ଏକ ଟ୍ୱିଟରେ ଖୋପକର କହିଛନ୍ତି ଯେ ଯେଉଁମାନେ ଫୱାଦଙ୍କ ଏହି ଫିଲ୍ମ ଦେଖିବାକୁ ଚାହାଁନ୍ତି, ସେମାନେ ପାକିସ୍ତାନ ଯାଇ ଏହାକୁ ଦେଖିବା ଉଚିତ୍। ଉଲ୍ଲେଖ ଥାଉ କି ଏହି ଫିଲ୍ମ ସାରା ବିଶ୍ୱରେ ପ୍ରାୟ ୨୫୦ କୋଟିରୁ ଅଧିକ ବ୍ୟବସାୟ କରିଛି।

ସମ୍ବନ୍ଧିତ ଖବର