ମୁମ୍ବାଇ: ବହୁ ପ୍ରତିକ୍ଷିତ ସିନେମା ‘ଆଦିପୁରୁଷ’ ରିଲିଜ ହୋଇସାରିଛି। ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ‘ଆଦିପୁରୁଷ’ ସିନେମା ରିଲିଜ୍ ହୋଇଛି । ସିନେମା ରିଲିଜ ପୂର୍ବରୁ ନିର୍ମାତାମାନେ ସମସ୍ତ ସିନେମା ହଲରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ ଛାଡ଼ିବାକୁ ପରାମର୍ଶ ଦେଇଥିଲେ। କାରଣ କୁହାଯାଏ ଯେଉଁଠାରେ ରାମାୟଣ ପାଠ ହୁଏ ସେଠାକୁ ପ୍ରଭୁ ହନୁମାନ ନିଶ୍ଚୟ ଆସିଥାଆନ୍ତି।
ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସିନେମା ହଲ ଭିତରକୁ ଏକ ମାଙ୍କଡ଼ ପଶି ଆସିଥିବା ଦେଖିବାକୁ ମିଳୁଛି। ମାଙ୍କଡ଼ ଝରକା ବାଟେ କିଛି ସମୟ ପାଇଁ ‘ଆଦିପୁରୁଷ’ ସିନେମା ଚାଲିଥିବା ପରଦାକୁ ଚାହିଁବା ପରେ ନିଜ ବାଟରେ ଫେରି ଯାଇଥିଲା। ତେବେ ଏହି ଭିଡିଓକୁ ଦେଖି ଲୋକେ କହୁଛନ୍ତି, ‘ମାଙ୍କଡ଼ ବେଶରେ ପ୍ରଭୁ ହନୁମାନ ‘ଆଦିପରୁଷ’ ସିନେମା ଜରିଆରେ ରାମାୟାଣ ପାଠ ଶୁଣିବାକୁ ଆସିଥିଲେ’
ବଡ଼ ପରଦାରେ ଶ୍ରୀରାମ ଭୂମିକାରେ ପ୍ରଭାସଙ୍କୁ ଦେଖି ଦର୍ଶକ ଖୁସି ହୋଇଯାଇଛନ୍ତି । ସେହିପରି ସୀତା ଭୂମିକାରେ ନଜର ଆସିଛନ୍ତି କ୍ରୀତି ସାନନ୍ । ରିଲିଜ୍ ପୂର୍ବରୁ ରେକର୍ଡ ପରେ ରେକର୍ଡ କରି ଚାଲିଛି ଫିଲ୍ମ ‘ଆଦିପୁରୁଷ’। ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟିଫ୍ଲେକ୍ସ ଓ ଅଢେଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି । ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ବିଭିନ୍ନ ହଲରେ ସିନେମା ହାଉସଫୁଲ ରହିଛି।