ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଯାଇଛି। ତାଙ୍କ ମା’ ଶାନ୍ତିରାଣୀ ଚକ୍ରବର୍ତ୍ତୀଙ୍କର ଶୁକ୍ରବାର ଦେହାନ୍ତ ହେବା ପରେ ସମଗ୍ର ପରିବାରରେ ଶୋକର ଲହରି ଖେଳିଯାଇଛି। ବଲିଉଡ୍ର ଅନେକ କଳାକାର ଏହି ସମୟରେ ଅଭିନେତାଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ଅଭିନେତାଙ୍କ ମାଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମିଥୁନଙ୍କ ସାନ ପୁଅ ନାମୋସି ତାଙ୍କ ଜେଜେମା’ଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ତିନି ବର୍ଷ ପୂର୍ବେ ତାଙ୍କ ଜେଜେବାପା ତଥା ମିଥୁନ ଚକ୍ରବର୍ତ୍ତୀଙ୍କ ବାପା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କର ପରଲୋକ ହୋଇଥିଲା। ଏବେ ମାଆଙ୍କ ହାତ ମଧ୍ୟ ଅଭିନେତାଙ୍କ ମୁଣ୍ଡରୁ ସବୁଦିନ ପାଇଁ ହଟିଯାଇଛି। ଉଲ୍ଲେଖଯୋଗ୍ୟ, ମିଥୁନଙ୍କ ମା’ ମୁମ୍ବାଇରେ ପୁଅବୋହୂ ଓ ନାତିଙ୍କ ସହ ରହୁଥିଲେ। ଜୁଲାଇ ୬ ତାରିଖରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ତାଙ୍କର ବିୟୋଗ ଘଟିଛି।
ତୃଣମୂଳ କଂଗ୍ରେସ (ଟିଏମ୍ସି)ର ପ୍ରବକ୍ତା କୃଣାଲ ଘୋଷ ଶାନ୍ତିରାଣୀଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି, ‘ମା’ଙ୍କ ମୃତ୍ୟୁ ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ହୃଦୟରୁ ସମବେଦନା। ପ୍ରଭୁ ମିଥୁନଦା ଏବଂ ତାଙ୍କ ପରିବାରକୁ ଏହି ଗଭୀର ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।’
ଶାନ୍ତିରାଣୀଙ୍କ ଦେହାନ୍ତ ବିଷୟରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପ୍ରଘଟ ହେଉଥିବା ବେଳେ ନାମୋସି ଏକ ପୋଷ୍ଟ୍ କରି କହିଥିଲେ କି, ‘ଦୁଃଖର ବିଷୟ ହେଊଛି କି ଏହା ଏକ ସତ ଖବର, ଆମ ଜେଜେମାଆ ଆଉ ଆମ ଗହଣରେ ନାହାନ୍ତି।’
ମିଥୁନ ଚକ୍ରବର୍ତ୍ତୀ ତାଙ୍କ ମାଆ ଶାନ୍ତିରାଣୀଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ। ସୋସିଆଲ ମିଡିଆରେ ମା ଏବଂ ପୁଅଙ୍କ ଫଟୋ ଅଧିକାଂଶ ସମୟରେ ଭାଇରାଲ୍ ହୋଇଥାଏ।