‘ବ୍ରହ୍ମାସ୍ତ୍ର’ରେ ମୌନୀ ହେବେ ଖଳନାୟିକା

ଟେଲିଭିଜନ୍‌ ଦୁନିଆରୁ ହଠାତ୍‌ ଲମ୍ବ ଡିଅାଁ ମାରି ବଲିଉଡ୍‌ରେ ପହଞ୍ଚିଥିବା, ମୌନୀ ରାୟଙ୍କ ହାତରେ ଏବେ ଗଣ୍ଡା ଗଣ୍ଡା ଫିଲ୍ମ। ‘କିଉଁକି ଶାଶ୍ ଭି କଭି ବହୂ ଥି’ ମାଧ୍ୟମରେ ତାଙ୍କର ଟେଲି-ଅଭିନେତ୍ରୀ ଜୀବନ ଆରମ୍ଭ ହୋଇଥିଲା। ତାହା ପରେ ‘ନାଗିନ’ ଓ ‘ଦେବୋଁ କେ ଦେବ ମହାଦେବ’, ‘ଝଲକ ଦିଖଲା ଜା ୭’, ‘ସୋ ୟୁ ଥିଙ୍କ୍‌ ୟୁ କ୍ୟାନ୍‌ ଡ୍ୟାନ୍‌ସ’, ‘ବିଗ୍‌ ବସ୍‌’ ଆଦି ରିଅଲିଟି ସୋ, ତାଙ୍କୁ ବଲିଉଡ୍‌ର ନିକଟତର କରାଇଥିଲା। ସଲମାନ ଖାନ, ଅକ୍ଷୟ କୁମାର ଆଦି ସୁପରଷ୍ଟାରଙ୍କ ସହ ମିଶିବାର ସୁଯୋଗ, ତାଙ୍କୁ ସଫଳତାର ପାହାଚ ଚଢ଼ିବାରେ ସାହାଯ୍ୟ କରିଛି ବୋଲି କହାଯାଇପାରେ। ବଲିଉଡ୍‌ ଫିଲ୍ମ ‘ଗୋଲ୍‌ଡ’ରେ ସେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି। ସଲମାନଙ୍କ ଏକ ଆଗାମୀ ଫିଲ୍ମ ପାଇଁ ସେ ଚୁକ୍ତିବଦ୍ଧ। କରଣ ଜୌହରଙ୍କ ମନ ପାଇଗଲେ, ସେ କ୍ରମାଗତ ତିନିଟି ଫିଲ୍ମ ପାଇଁ ସୁଯୋଗ ଦିଅନ୍ତି। ଏ ସୁଯୋଗ ବି ମୌନୀ ହାତେଇପାରିଛନ୍ତି। କରଣ କ୍ରମର ପ୍ରଥମ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦର୍ଶକେ ତାଙ୍କୁ ମୁଖ୍ୟ ଖଳନାୟିକା ଭୂମିକାରେ ଦେଖିବେ। ଏଥିରେ ଅମିତାଭ ବଚ୍ଚନ, ରଣବୀର କପୂର, ଆଲିୟା ଭଟ୍ଟଙ୍କ ଭଳି ବଡ଼ କଳାକାରଙ୍କ ସହ ତାଙ୍କ ଉପସ୍ଥିତି ଯେ, ଆଗକୁ ତାଙ୍କୁ ଅଧିକରୁ ଅଧିକ ସୁଯୋଗ ଆଣିଦେବ, ଏଥିରେ ସନ୍ଦେହର ଅବକାଶ ନାହିଁ।

ସମ୍ବନ୍ଧିତ ଖବର