ମୁମ୍ବାଇ : ‘ରେସ୍-୩’ର ସୁଟିଂ ଚାଲୁ ରହିଥିବା ବେଳେ କିଛି ଦିନ ହେବ ‘ଦବଙ୍ଗ-୩’କୁ ନେଇ ଚିନ୍ତିତ ଅଛନ୍ତି ସଲମାନ । ଫିଲ୍ମରେ ହିରୋଇନ୍ କିଏ ହେବ ସେ ନେଇ ଅନେକ ଆଲୋଚନା ହେବା ସହ ଏବେ ସେହି ଅସୁବିଧାର ସମାଧାନ ହୋଇ ଯାଇଥିବା ଜଣା ପଡ଼ିଛି । ଦବଙ୍ଗର ଦୁଇଟି ସିକ୍ୱେଲ ହୋଇ ସାରିଥିବା ବେଳେ ଏହାର ତୃତୀୟ ଭାଗରେ ସଲମାନଙ୍କ ବିପକ୍ଷରେ ମୌନି ରାୟ ନଜର ଆସିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଛୋଟ ପରଦାରେ ପ୍ରସାରିତ ହୋଇ ସାରିଥିବା ଧାରାବାହିକ ‘ନାଗିନ୍’ରେ ସମସ୍ତେ ତାଙ୍କ ଚରିତ୍ରକୁ ପସନ୍ଦ କରିଥିବା ବେଳେ ଏହି ଅଫର ମିଳିବା ପରେ ସେ ଖୁସିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ‘ଦବଙ୍ଗ-୩’ରେ ମୌନିଙ୍କୁ କେବଳ ୧୫-୨୦ମିନିଟ୍ ପାଇଁ ଦର୍ଶକେ ଦେଖିବାକୁ ପାଇବେ । ଏଥିରେ ସେ ସଲମାନଙ୍କ ପୁରୁଣା ପ୍ରେମିକା ଚରିତ୍ରରେ ନଜର ଆସିବେ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ସେ ଫିଲ୍ମ ‘ଗୋଲ୍ଡ’ ଏବଂ ‘ବ୍ରହ୍ମାସ୍ତ୍ର’ରେ ଅଭିନୟ କରି ସାରିଥିବା ବେଳେ ଏହି ଦୁଇଟି ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି । ସଲମାନଙ୍କ ସହ ବିଭିନ୍ନ ରିୟଲିଟି ସୋ’ ଏବଂ ପାର୍ଟିରେ ମୌନିଙ୍କୁ ସାଥିରେ ଦେଖିବାକୁ ମିଳିଥାଏ । ଏହା ସହ ଦୁଇ ଜଣଙ୍କ ଫଟୋ ମଧ୍ୟ ଅନେକ ଥର ସୋସିଆଲ ସାଇଟ୍ରେ ଭାଇରାଲ ହୋଇ ସାରିଥିବା ବେଳେ ଏବେ ବଡ଼ ପରଦାରେ ସଲମାନଙ୍କ ସହ ରୋମାନ୍ସ କରିବାର ଦୃଶ୍ୟ ଦର୍ଶକେ ଦେଖିବାକୁ ପାଇବେ ।