ପରଦା : ‘ସୂର୍ଯ୍ୟବଂଶୀ’ରେ ଆସୁଛନ୍ତି ଜ୍ୟାକି ଶ୍ରଫ୍‌

ଅଜୟ ଦେବଗନ ଫୁଟ୍‌ବଲ କୋଚ୍‌

ଦୀର୍ଘଦିନ ପରେ ବଡ଼ ପରଦାକୁ ଫେରୁଛନ୍ତି ଜ୍ୟାକି ଶ୍ରଫ୍‌। ବଲିଉଡ୍‌ର ଖ୍ୟାତନାମା ନିର୍ଦେଶକ ରୋହିତ ସେଟ୍ଟୀ ଜ୍ୟାକି ଶ୍ରଫ୍‌ଙ୍କୁ ‘ସୂର୍ଯ୍ୟବଂଶୀ’ରେ ଅଭିନୟର ସୁଯୋଗ ଦେଇଛନ୍ତି। ଶ୍ରୀ ସେଟ୍ଟୀ ନିଜ ଇନ୍‌ଷ୍ଟାଗ୍ରାମରେ ଏ ସମ୍ପର୍କରେ ପୋଷ୍ଟ କରି ସୂଚନା ଦେଇଥିବା ବେଳେ ଲେଖିଛନ୍ତି ‘ଅଭି ଔର୍‌ ସରପ୍ରାଇଜ୍‌ ବାକି ହୈ ମେରେ ଦୋସ୍ତ୍‌..। ରୋହିତଙ୍କ ସୋସିଆଲ୍‌ ମିଡିଆରେ ଏହି ପୋଷ୍ଟ ପରେ ଜ୍ୟାକି ଶ୍ରଫଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

ରୋହିତଙ୍କ ପୁଲିସ୍‌ ଭିତ୍ତିକ ତୃତୀୟ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ୨୦୨୧ ମାର୍ଚ ୨୪ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ‌ବେଳେ ତାଙ୍କ ବିପକ୍ଷରେ ଅଛନ୍ତି କ୍ୟାଟ୍ରିନା କୈଫ୍‌। ଅକ୍ଷୟଙ୍କ ସହ ଅଜୟ ଦେବଗନ ଓ ରଣବୀର ସିଂ ମଧ୍ୟ ବିଶେଷ ଭୂମିକାରେ ନଜର ଆସିବେ। ଅକ୍ଷୟ ଏଥିରେ ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। କରନ୍‌ ଜୋହର, ହିରୁ ୟଶ ଜୋହର, ରୋହିତ ସେଟ୍ଟୀ ଓ ଅରୁଣା ଭାଟ୍ଟିଆ ମିଳିତ ଭାବେ ଏହାର ପ୍ରଯୋଜନା କରୁଛନ୍ତି।

ଅଜୟ ଦେବଗନ ଫୁଟ୍‌ବଲ କୋଚ୍‌
ଅଜୟ ଦେବଗନଙ୍କ ଅଭିନୀତ ‘ତାନାଜୀ’ ଫିଲ୍ମ ଚଳିତ ବର୍ଷ ଭଲ ବ୍ୟବସାୟ କରି ରେକର୍ଡର ରଚିଥିବା ବେଳେ ଆଗାମୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭାରତୀୟ ଫୁଟବଲ୍‌ ଦଳର ଗୌରବମୟ ସମୟକୁ ନେଇ ଚଳଚ୍ଚିତ୍ର ‘ମୈଦାନ’ ନିର୍ମାଣାଧୀନ ଥିବା ବେଳେ ଏଥିରେ ଅଜୟ ଫୁଟବଲ୍‌ କୋଚ୍‌ ଭୂମିକାରେ ଦେଖିବାକୁ ମିଳିବେ। ଅଜୟଙ୍କ ସମେତ ଦକ୍ଷିଣ ଭାରତୀୟ ଲୋକପ୍ରିୟ ଅଭିନେତ୍ରୀ ପ୍ରିୟାମଣିଙ୍କୁ ଏଥିରେ ଦେଖିବାକୁ ମିଳିବ। ଅମିତ ରବୀନ୍ଦର ନାଥ ଏହାର ନିର୍ଦେଶନା ଦେଇଥିବା ବେଳେ ଜି-ଷ୍ଟୁଡିଓ, ବୋନୀ କପୁର, ଆକାଶ ଚାୱଲା ଓ ଅରୁନଭ ଜଏ ସେନଗୁପ୍ତା ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଚଳିତ ବର୍ଷ ଡିସେମ୍ବର ୨୦ରେ ହିନ୍ଦୀ, ତେଲୁଗୁ ଓ ମାଲାୟଲମ ଭାଷାରେ ଏହା ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାର ନୂତନ ପୋଷ୍ଟର ସୋସିଆଲ୍‌ ମିଡିଆରେ ପୋଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର