ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମୃଣାଲ୍ ଠାକୁର ପୁଣିଥରେ ତାଙ୍କ ବୟାନକୁ ନେଇ ବିବାଦ ଘେରରେ। କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ବିପାଶା ବାସୁଙ୍କ ବିଷୟରେ ତାଙ୍କର ପୁରୁଣା ବୟାନ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ବିପାଶାଙ୍କ ଶାରୀରିକ ଗଠନ ପୁରୁଷଙ୍କ ଭଳି ବୋଲି କହିଥିଲେ। ଟ୍ରୋଲ୍ ହେବା ପରେ, ଅଭିନେତ୍ରୀଙ୍କୁ କ୍ଷମା ମାଗିବାକୁ ପଡିଥିଲା। ଏବେ ମୃଣାଲ୍, ଅନୁଷ୍କା ଶର୍ମାଙ୍କ ଉପରେ ମନ୍ତବ୍ୟ ଦେଇ ଫସିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିବା କଥାଟି ଅନୁଷ୍କାଙ୍କ ପାଇଁ ଥିଲା ବୋଲି ଲୋକେ ଦାବି କରିବା ସହ ତାଙ୍କୁ ଟ୍ରୋଲ କରୁଛନ୍ତି।
ମୃଣାଳ ନିକଟରେ ମିସ୍ ମାଳିନୀଙ୍କୁ ଏକ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାରରେ ତାଙ୍କୁ ଏକ ଏଭଳି ସିନେମା ବିଷୟରେ ପଚରାଯାଇଥିଲା ଯାହାକୁ ସେ ନା କରିଥିଲେ, କିନ୍ତୁ ସେହି ସିନେମାଟି ହିଟ୍ ହୋଇଥିଲା। ମୃଣାଳ ଉତ୍ତର ଦେଇ କହିଥିଲେ, "ଏପରି ଅନେକ ସିନେମା ଅଛି। ଯାହାକୁ ମୁଁ କରିବାକୁ ମନା କରିଥିଲି। କିନ୍ତୁ ସତ କହିବାକୁ ଗଲେ, ମୁଁ ପ୍ରସ୍ତୁତ ନଥିଲି। ଗୋଟିଏ ଫିଲ୍ମ ଥିଲା ତାହା ସୁପରହିଟ୍ ହୋଇଥିଲା ଏବଂ ସେଥିରେ ଥିବା ନାୟିକାଙ୍କୁ ସଫଳତା ମିଳିଥିଲା। କିନ୍ତୁ ମୁଁ ଭାବୁଛି ଯଦି ମୁଁ ସେହି ସିନେମା କରିଥାନ୍ତି ତେବେ ମୁଁ ନିଜର ଅସ୍ତିତ୍ବ ହରାଇ ଦେଇଥାନ୍ତି। ସେହି ଅଭିନେତ୍ରୀ ଏବେ କାମ କରୁନାହାନ୍ତି। କିନ୍ତୁ ମୁଁ କାମ କରୁଛି। ଏହା ମୋର ବିଜୟ। କାରଣ ମୁଁ ତୁରନ୍ତ ପ୍ରସିଦ୍ଧି ଏବଂ ସ୍ୱୀକୃତି ଚାହେଁ ନାହିଁ। ଯେଉଁ ସଫଳତା ତୁରନ୍ତ ମିଳିଯାଏ ତାହା ମଧ୍ୟ ଆପଣଙ୍କଠାରୁ ଶୀଘ୍ର ଚାଲିଯାଏ।"
ମୃଣାଲ ଏଠାରେ ଅନୁଷ୍କାଙ୍କ ନାମ ନେଇନଥିଲେ ବି ସେ ତାଙ୍କ କଥା କହିଥିବା ସୋସିଆଲ ମିଡିଆରେ ଦାବି କରିଛନ୍ତି ଲୋକେ। କାରଣ ପୁରୁଣା ସାକ୍ଷାତକାରରେ ଦବଙ୍ଗ ଷ୍ଟାର ସଲମାନ ଖାନ୍ କହିଥିଲେ ଯେ, ଫିଲ୍ମ ସୁଲତାନ ପାଇଁ ପ୍ରଥମ ପସନ୍ଦ ଥିଲେ ମୃଣାଲ ଠାକୁର। ହେଲେ ପରେ ଏହା ଅନୁଷ୍କାଙ୍କ ହାତକୁ ଯାଇଥିଲା।
ଅନୁଷ୍କା ମଧ୍ୟ ଏବେ କାମ ନକରି ନିଜ ପରିବାରକୁ ସମୟ ଦେଉଛନ୍ତି। ଏସବୁକୁ ଦେଖି ମୃଣାଲ, ଅନୁଷ୍କାଙ୍କୁ ଅପମାନିତ କରିଥିବା କହିଛନ୍ତି ଲୋକେ। କିଛି ଲୋକ, "ସଫଳତା ମୃଣାଲଙ୍କ ମୁଣ୍ଡରେ ଚଢ଼ିଯାଇଥିବା" କହିବା ସହ କିଛି ଲୋକ କହିଛନ୍ତି ଯେ, "ଅନୁଷ୍କାଙ୍କୁ ବହୁତ ଅଫର ମିଳିଛି। ହେଲେ ସେ ଏହାକୁ ହାତଛଡ଼ା କରିଛନ୍ତି। ତାଙ୍କ କ୍ୟାରିୟର ଶେଷ ହୋଇନାହିଁ।"