ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ରୋମାଣ୍ଟିକ ଫିଲ୍ମ 'ହାଏ ନନ୍ନା'କୁ ନେଇ ଅନେକ ଚର୍ଚ୍ଚା ହେଉଛି। ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭଲ ଆୟ ସହିତ ହିଟ୍ ହୋଇଥିଲା। ଏହା ପରେ ଜାନୁଆରିରେ ଓଟିଟିରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ। ଓଟିଟିରେ ରିଲିଜ୍ ପରେ ଏହାକୁ ଭଲପାଇବା ମିଳିବା ସହ ଏହାର ହିନ୍ଦୀ ସଂସ୍କରଣ 'ହାଏ ପାପା'କୁ ଦର୍ଶକଙ୍କ ଅଧିକ ଭଲପାଇବା ମିଳିଥିଲା।
ଏହା ପୂର୍ବରୁ ରୋମାଣ୍ଟିକ୍ ଫିଲ୍ମ 'ସୀତା ରାମମ'ରେ ନଜର ଆସିଥିଲେ ମୃଣାଲ। ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ କିଣିଥିଲା। ତେବେ ଅନେକ ହିଟ୍ ରୋମାଣ୍ଟିକ୍ ଫିଲ୍ମରେ କାମ କରିଥିଲେ ବି ମୃଣାଲଙ୍କୁ ଅଧିକ ରୋମାଣ୍ଟିକ୍ ଫିଲ୍ମ ମିଳୁନଥିବା ସେ କହିଛନ୍ତି। ତାଙ୍କ କହିବା ମୁତାବକ, "ମୁଁ ଜାଣେ ନାହିଁ, ବୋଧହୁଏ ମୁଁ ପ୍ରେମ କାହାଣୀ ଥିବା ଫିଲ୍ମର ଅଫର ପାଇବାକୁ ଯଥେଷ୍ଟ ଲୋକପ୍ରିୟ ନୁହେଁ। ଏକ ପ୍ରେମ କାହାଣୀ ଚଳଚ୍ଚିତ୍ର ପାଇବାକୁ ହେଲେ ମୋତେ ଲୋକପ୍ରିୟ ହେବାକୁ ପଡିବ, ଠିକ୍? ମୁଁ ଚଳଚ୍ଚିତ୍ର ନିର୍ମାତାମାନଙ୍କ ଆଗରେ ନିଜକୁ ପ୍ରମାଣ କରି କରି ଥକି ଗଲାଣି। ମୁଁ ଚାହେଁ ଏହା ବର୍ତ୍ତମାନ ଆପେ ଆପେ ହେଉ। ମୋତେ ଲୋକେ 'କୁଇନ୍ ଅଫ୍ ରୋମାନ୍ସ' ବୋଲି କହିବା ଆରମ୍ଭ କରିଛନ୍ତି। ଏହା ମୋତେ ଖୁସି ଦେଇଛି। କାରଣ ସୁପରଷ୍ଟାର ଶାହରୁଖଙ୍କୁ 'କିଙ୍ଗ୍ ଅଫ୍ ରୋମାନ୍ସ' ବୋଲି କୁହାଯାଏ। ଆଗକୁ ମୁଁ ଅଧିକ ରୋମାଣ୍ଟିକ ଫିଲ୍ମରେ କାମ କରିବି ବୋଲି ଆଶା କରୁଛି।"