ମୁମ୍ବାଇ: ଆଗକୁ ଆସୁଛି ସାଉଥ୍ ସୁପର୍ଷ୍ଟାର୍ ପ୍ରଭାସଙ୍କ ଫିଲ୍ମ ‘ଫୌଜି’। ତେବେ ଚର୍ଚ୍ଚା ହେଉଥିଲା ଯେ ଏହି ସିନେମାରେ ପ୍ରଭାସଙ୍କ ନାୟିକା ସାଜିପାରନ୍ତି ଅଭିନେତ୍ରୀ ମୃଣାଳ ଠାକୁର। ତାଙ୍କ ନାମକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତେବେ ନିଜେ ଅଭିନେତ୍ରୀ କିନ୍ତୁ ଏହି ଖବରକୁ ମିଛ ପ୍ରମାଣ ପରିଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ‘ଫୌଜି’ ଫିଲ୍ମରେ ତାଙ୍କର କୌଣସି ପ୍ରକାରର ସଂପୃକ୍ତି ନାହିଁ। ଏହି ଚଳଚ୍ଚିତ୍ର ପାଇଁ କେବଳ ମୃଣାଳ ଠାକୁର ନୁହଁନ୍ତି, ବରଂ ଶ୍ରଦ୍ଧା କପୁରଙ୍କ ନାମକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି।
ପ୍ରଭାସ ଓ ମୃଣାଳଙ୍କ ଯୋଡ଼ିକୁ ଦର୍ଶକ ‘କଲ୍କି ୨୮୯୮ ଏଡି’ରେ ଖୁବ୍ ପସନ୍ଦ କରିଛନ୍ତି। ସେଥିପାଇଁ ପୁଣି ଥରେ ଏହି ଯୋଡ଼ିଙ୍କୁ ‘ଫୌଜି ଫିଲ୍ମରେ ଦେଖିବାକୁ ମିଳିବ ଭାବି ପ୍ରଶଂସକ ଉତ୍ସାହିତ ହୋଇ ଯାଇଥିଲେ। ମାତ୍ର ପ୍ରଶଂସକଙ୍କର ଏହି ଉତ୍ସାହ ବେଶି ସମୟ ତିଷ୍ଠି ରହିପାରିଲା ନାହିଁ। କାରଣ ନିଜେ ଅଭିନେତ୍ରୀ ଏ ସଂପର୍କରେ ତାଙ୍କର ନୀରବତା ଭଙ୍ଗ କରିଛନ୍ତି।
ନିକଟ ଅତୀତରେ ଏକ ନ୍ୟୁଜ୍ ପୋର୍ଟାଲ୍ ମୃଣାଳ ଓ ପ୍ରଭାସଙ୍କର ଏକ ଯୁଗଳ ଫଟୋ ସେୟାର କରି ଲେଖିଥିଲା, ‘‘ଫୌଜିରେ ଦୁହିଁଙ୍କୁ ଏକତ୍ର ଦେଖିବାକୁ ମିଳିବ। ଫିଲ୍ମର ପ୍ରଥମ ଲୁକ୍ ଅଗଷ୍ଟ ୧୭ ତାରିଖରେ ରିଲିଜ୍ ହେବ।’’
ସେ ପୋଷ୍ଟ୍ର କମେଣ୍ଟ୍ ସେକ୍ସନକୁ ଯାଇ ମୃଣାଳ ନିଶ୍ଚିତ କରିଛନ୍ତି ଯେ ସେ ‘ଫୌଜି’ରେ ନାହାନ୍ତି ବୋଲି।