ପତ୍ନୀଙ୍କ ସହ କଳହ ହେବାରୁ ଫେସ୍‌ବୁକ୍‌ରେ ଭିଡିଓ ଓ ସୁଇସାଇଡ୍‌ ନୋଟ୍‌ ସେୟାର କରି ଆତ୍ମହତ୍ୟା କଲେ ‘ଏମ୍‌ ଏସ୍ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରି’ କଳାକାର

ମୁମ୍ବାଇ: ‘ଏମ୍‌ ଏସ୍ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରି’ରେ ଅଭିନୟ କରିଥିବା ଅନ୍ୟତମ କଳାକାର ସନ୍ଦୀପ ନହର ଆତ୍ମହତ୍ୟା କରି ନିଜ ଜୀବନ ହାରିଛନ୍ତି। ମୁମ୍ବାଇ ପୁଲିସ୍‌ ତାଙ୍କ ମୃତ୍ୟୁକୁ ନେଇ ସୂଚନା ପ୍ରଦାନ କରିଛି। କଳାକାର ସନ୍ଦୀପ ସୋସିଆଲ୍‌ ମିଡିଆରେ ସୁଇସାଇଡ୍‌ ନୋଟ୍‌ ସେୟାର କରି ସେ ନିଜର କିଛି ବ୍ୟକ୍ତିଗତ ଅସୁବିଧା ହେତୁ ଆତ୍ମହତ୍ୟା କରୁଥିବା ସୂଚନା ଦେଇଛନ୍ତି।

ସେ ଫେସ୍‌ବୁକ୍‌ରେ ଏକ ଭିଡିଓ ସହ ସୁଇସାଇଟ୍‌ ନୋଟ୍‌ ସେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି କି ତାଙ୍କ ପତ୍ନୀ କାଞ୍ଚନ ଶର୍ମାଙ୍କ ସହ ତାଙ୍କର ଉତ୍ତମ ସଂପର୍କ ନଥିଲା। ଏହି କାରଣରୁ ସେ ସର୍ବଦା ଦୁଃଖୀ ରହୁଥିଲେ। ସନ୍ଦୀପ ମୁମ୍ବାଇସ୍ଥିତ ଓସିୱାରାରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ତାଙ୍କ ମୃତ୍ୟୁ ପରେ ମୁମ୍ବାଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

India Today

ସେ ଫେସ୍‌ବୁକ୍‌ରେ ୧୦ ମିନିଟ୍‌ର ଏକ ଭିଡିଓ ସହ ତାଙ୍କ ପୋଷ୍ଟ୍‌ରେ ସୁଇସାଇଡ୍‌ ନୋଟ୍‌ ବୋଲି ଉଲ୍ଲେଖ କରିଛନ୍ତି। ସେ ସେଥିରେ ଲେଖିଛନ୍ତି, ‘ଏବେ ବଞ୍ଚିବାକୁ ଇଚ୍ଛା ହଉନି। ଜୀବନରେ ଅନେକ ସୁଖ, ଦୁଃଖ ଦେଖିଲିଣି। ସବୁ ଅସୁବିଧାକୁ ସାମ୍ନା କରିଛି। ମାତ୍ର ଆଜି ମୁଁ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ତାହା ସହିବା ଶକ୍ତିର ବାହାରେ। ମୁଁ ଜାଣିଛି ଆତ୍ମହତ୍ୟା କରିବା ଭୀରୁତା ଅଟେ। ମୋତେ ବି ବଞ୍ଚିବାର ଥିଲା। ମାତ୍ର ଏମିତି ବଞ୍ଚି କ’ଣ ଲାଭ? ଯେଉଁଠି ଶାନ୍ତି କି ଆତ୍ମସମ୍ମାନ ନାହିଁ। ମୋ ପତ୍ନୀ କାଞ୍ଚନ ଶର୍ମା ଓ ତାଙ୍କ ମାଆ ବିନୁ ଶର୍ମା, ଯିଏକି ମୋତେ ବୁଝିଲେ ନା ବୁଝିବାକୁ ଚେଷ୍ଟା କଲେ। ମୋ ପତ୍ନୀ ଖୁବ୍ ରାଗୀ ଓ ତାଙ୍କ ବ୍ୟକ୍ତିତ୍ବ ମୋଠାରୁ ଅଲଗା। ପ୍ରତିଦିନ କଳି, ସକାଳ-ସଂଧ୍ୟା ସବୁବେଳେ କଳି। ଯାହାକି ମୋର ସହିବା ବାହାରେ। ଏଥିରେ କାଞ୍ଚନର କିଛି ଦୋଷ ନାହିଁ। ତାଙ୍କ ପ୍ରକୃତି ଏମିତି, ତ ତାଙ୍କୁ ସବୁକିଛି ସାଧାରଣ ଲାଗୁଛି। ମୋତେ କିନ୍ତୁ ସାଧାରଣ ଲାଗୁନି। ମୁମ୍ବାଇରେ ‌ଅନେକ ବର୍ଷ ହେବ ଅଛି। ବହୁ ଅସୁବିଧା ଦେଖିଛି। ମାତ୍ର କେବେ ଭାଙ୍ଗି ଯାଇନଥିଲି।’

ଉଲ୍ଲେଖଯୋଗ୍ୟ, ‘ଏମ୍‌ ଏସ୍ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରି’ରେ ସନ୍ଦୀପ ନହର ଧୋନୀଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିଲେ। ତାଙ୍କୁ ଅକ୍ଷୟ କୁମାରଙ୍କ ‘କେଶରୀ’ ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର