ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନଙ୍କୁ ମଞ୍ଚ ଉପରେ ଏକାଠି ଦେଖିବାକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି। କିନ୍ତୁ ଏହି ତିନିଜଣ ଖାନଙ୍କୁ ମଞ୍ଚ ଉପରେ ଖୁବ କମ ଏକାଠି ହେବାର ଦେଖିବାକୁ ମିଳିଥାଏ।

Advertisment

ନିକଟରେ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ତିନିଜଣ ଖାନଙ୍କୁ ମଞ୍ଚ ଉପରେ ଏକାଠି ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ତିନିଖାନ ନାଟୁ ନାଟୁ ଗୀତରେ ଖୁବ ଧମାଲ ମଜାଇଥିଲେ। 

ଅମିର ଖାନ ସଲମାନ ଏବଂ ଶାହରୁଖ ଖାନଙ୍କ ସହ ତାଙ୍କର ସମ୍ପର୍କ କିପରି ସେ ବିଷୟରେ ଆଲୋଚନା କରି କହିଛନ୍ତି, 'ଆମ ମଧ୍ୟରେ ବନ୍ଧୁତା ସହିତ ଅନେକ ମତଭେଦ ମଧ୍ୟ ରହିଥିଲା। ଯାହା ସମସ୍ତେ ଜାଣିଛନ୍ତି।

ସିନେମା ଶିଳ୍ପରେ କାମ କରିବାରେ ଆମର ଦୀର୍ଘ ୩୫ ବର୍ଷ ବିତିଗଲାଣି। ଏହି ଶିଳ୍ପରେ କାମ କରିବା ପାଇଁ ସଲମାନ, ଶାହରୁଖ ଓ ମୁଁ ଏକା ସମୟରେ ପ୍ରବେଶ କରିଥିଲୁ।

ସମୟ ଥିଲା ଆମ ତିନିଜଣଙ୍କ ମଧ୍ୟରେ ଅନେକ ତିକ୍ତତା ଥିଲା। ଯାହା ଏବେ ଆଉ ନାହିଁ। ସମୟ ବଦଳି ଯାଇଛି। ସମସ୍ତେ ନିଜନିଜ କାମକୁ ନେଇ ବ୍ୟସ୍ତ ହୋଇଯାଇଛନ୍ତି। ଆମ ଭିତରେ ଏବେ ବନ୍ଧୁତାର ସମ୍ପର୍କ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। 

ଏକଥା ମୁଁ ନିକଟରେ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ଅନୁଭବ କରିଥିଲି। ମୁକେଶ ସାର ମୋତେ ଫୋନ କରି କହିଥିଲେ,‘‘ ଶାହରୁଖ ଓ ସଲମାନଙ୍କ ସହ ମଞ୍ଚ‌ରେ ତୁମେ ବି ଯଦି ଏକାଠି ନୃତ୍ୟ କରିବ ଏହା ମୋତେ ଖୁବ ଆନନ୍ଦ ଦେବ।’’

ମୁକେଶ ସାରଙ୍କ ଖୁସି ପାଇଁ ମୁଁ ନା କହି ପାରି ନଥିଲି। ଏହାପରେ ସଲମାନ ଓ ଶାହରୁଖଙ୍କ ସହ ମିଶି ଆମେ ପ୍ରାୟ ଅଧାଘଣ୍ଟା ନୃତ୍ୟ ବିଷୟରେ ଆଲୋଚନା କରିଥିଲୁ। ଏହାପରେ ଆମେ ମଞ୍ଚ ଉପରେ ଚଢ଼ିଥିଲୁ। ଆଉ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରିଥିଲୁ। ଏହାପରେ ଆମେ ତିନିଜଣ ଏକାଠି ସିନେମା କରିବା ପାଇଁ ବି ଆଲୋଚନା କରିଥିଲୁ।’