ନୂଆଦିଲ୍ଲୀ: ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡ଼ିତ ଥିବା ଅନେକ କଳାକାର ନିଜନିଜର ମନ୍ତବ୍ୟ ଦେଇଥିଲେ। ନିକଟରେ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ା ସୁଶାନ୍ତଙ୍କ ମୃତ୍ୟୁର ଏତେ ବର୍ଷ ପରେ ତାଙ୍କ ମନକଥା ଖୋଲି କହିଛନ୍ତି।
ମୁକେଶ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ‘ସୁଶାନ୍ତ ସିଂ ରାଜପୁତ ମୋର ପ୍ରିୟ ସାଙ୍ଗ ଥିଲା। ମୁଁ ଜାଣିନି ମୃତ୍ୟୁ ପୂର୍ବରୁ କେଉଁ ଅବସ୍ଥା ଦେଇ ସେ ଗତି କରୁଥିଲା। କାସ ମୁଁ ଜାଣି ପାରି ଥାଆନ୍ତି କି ସୁଶାନ୍ତ ମନରେ କ’ଣ ଚାଲିଛି। ହୁଏତ ତା’ ସହିତ କିଛି ସମୟ ବିତାଇ ପାରିଥାଆନ୍ତି, ଆଉ ତା’ ମନରେ ଚାଲିଥିବା ଏଭଳି ଜୀବନ ହାରିବା ନିଷ୍ପତ୍ତିକୁ ଏଡାଇ ପାରିଥାଆନ୍ତି।
ସୁଶାନ୍ତ ଓ ମୁଁ ଏକାଠି ଅନେକ ସମୟ ବିତାଇଛୁ। ଆଉ ମୁଁ ସୁଶାନ୍ତଙ୍କୁ ଯେତିକି ଜାଣିଛି ଛୋଟରୁ ଛୋଟ ଘଟଣାକୁ ନେଇ ସେ ବିଚଳିତ ହୋଇପଡେ। ସେହି ଘଟଣାକୁ କ୍ରମାଗତ ଭାବିଚାଲେ… କ’ଣ କରିବ କ’ଣ ନାହିଁ କିଛି ସ୍ଥିର କରି ପାରେନାହିଁ।
ଏମିତି କି ସେଲିବ୍ରିଟିମାତ୍ରେ ହିଁ ନିନ୍ଦା ଓ ପ୍ରଶଂସା ଉଭୟକୁ ସମାନ ଭାବେ ଦେଖିବାକୁ ହୋଇଥାଏ। କିନ୍ତୁ ସୁଶାନ୍ତ କୌଣସି ସୂତ୍ରରୁ ତାର ଯଦି ନିନ୍ଦା ଶୁଣି ଦେଲା ସେ ତାହାକୁ ସହିପାରେ ନାହିଁ। ଯେକୌଣସି କାମ ହେଉ ସେ ଯଦି ହାତକୁ ନିଏ ତାହାକୁ ନିଖୁଣ ଭାବେ କରି ଦେଖାଇଥାଏ। ବାସ ଏତିକି ଦୁଃଖ କି ସୁଶାନ୍ତ ମୋ ସହ ଭଲସାଙ୍ଗ ଭାବେ ମିଶୁଥିଲା, କିନ୍ତୁ ତାର ମନକଥା ମୋତେ ଖୋଲି କହୁ ନଥାଏ। ନିଜ କଷ୍ଟକୁ ନିଜ ଭିତରେ ରଖୁଥିଲା। ଯାହାକି ମୁଁ ତାର ମୃତ୍ୟୁ ପରେ ଅନୁଭବ କରି ପାରିଛି।’