ନୂଆଦିଲ୍ଲୀ: 'ମହାଭାରତ'ର' ଭୀଷ୍ମ ପିତାମହ' ତଥା ଅଭିନେତା ମୁକେଶ ଖାନ୍ନା ନିଜର ବିବାଦୀୟ ବୟାନ ପାଇଁ କିଛି ମାସ ହେବ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶତ୍ରୁଘ୍ନ ସିହ୍ନାଙ୍କ ଲାଳନପାଳନ ଉପରେ ପ୍ରଶ୍ନ ଉଠାଇଥିଲେ ମୁକେଶ। ଏହା ପରେ ସୋନାକ୍ଷୀ ସିହ୍ନା ଅଭିନେତାଙ୍କୁ କଡ଼ା ଜବାବ ଦେଇଥିଲେ। ବର୍ତ୍ତମାନ ମୁକେଶ, କପୁର ପରିବାରର ଉତ୍ତରାଧିକାରୀ ଅର୍ଥାତ୍ ରଣବୀର କପୁରଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ରାମାୟଣରେ ରଣବୀରଙ୍କୁ ପ୍ରଭୁ ରାମଙ୍କ ଭୂମିକା ମିଳିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ସେ ଅଭିନେତାଙ୍କୁ ଛିଛୋରା ଓ ଗୁଣ୍ଡା କହିଥିବା ସାମ୍ନାକୁ ଆସିଛି।
ରାମାୟଣରେ ରଣବୀର କପୁରଙ୍କୁ ପ୍ରଭୁ ରାମ ଭାବରେ କାଷ୍ଟ କରାଯିବା ନେଇ ନିକଟରେ ଏକ ସାକ୍ଷାତକାରରେ ମୁକେଶ ଖାନ୍ନାଙ୍କୁ ତାଙ୍କ ପ୍ରତିକ୍ରିୟା ମଗାଯାଇଥିଲା। ଉତ୍ତରରେ ସେ କହିଥିଲେ, "ମୁଁ କିଛି ବି କହିଲେ ତାହା ବିବାଦୀୟ ହୋଇଯାଉଛି। ମୁଁ ସମସ୍ତଙ୍କୁ ଟାର୍ଗେଟ କରୁଛି ବୋଲି ସେମାନେ କହୁଛନ୍ତି। ମୋର ଭାବମୂର୍ତ୍ତି ଖରାପ ହୋଇଗଲାଣି। ମୁଁ ଅସଭ୍ୟ ନୁହେଁ। କିନ୍ତୁ ମୁଁ ମୋ ମତ ରଖିବାକୁ ପଛଘୁଞ୍ଚା ଦିଏନାହିଁ। ଯଦି ସେମାନେ ରାମାୟଣକୁ ନେଇ ଫିଲ୍ମ ତିଆରି କରୁଛନ୍ତି ତେବେ ରାମାନନ୍ଦ ସାଗରଙ୍କ ରାମାୟଣରେ ପ୍ରଭୁ ରାମଙ୍କ ଚରିତ୍ର କରିଥିବା ଅଭିନେତା ଅରୁଣ ଗୋବିଲଙ୍କ ସହ ତୁଳନା ହେବ ନିଶ୍ଚୟ। ମୁଁ କେବଳ ଏତିକି କହିବି ଯେ, ଯିଏ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିବ ସେ 'ରାମ'ଙ୍କ ଭଳି ହେବା ଉଚିତ, 'ରାବଣ'ଙ୍କ ଭଳି ନୁହେଁ। ଯଦି ସେ ନିଜ ଅସଲ ଜୀବନରେ ଗୁଣ୍ଡା, ତେବେ ଏହା ପରଦାରେ ଦେଖାଯିବ। ଯଦି ଆପଣ ରାମଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ତେବେ ଆପଣ ପାର୍ଟି କରିବା କିମ୍ବା ମଦ ପିଇବା ଉଚିତ୍ ନୁହେଁ। କିନ୍ତୁ କିଏ ରାମ ହେବ ଏହା ସ୍ଥିର କରିବାକୁ ମୁଁ କିଏ?"
ତାଙ୍କର ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।