ଗୁଫି ମୋତେ ମହାଭାରତରେ କାମ କରିବାର ସୁଯୋଗ ଦେଇଥିଲେ, ବହୁତ ଭଲ ମଣିଷ ଥିଲେ: ମୁକେଶ

ମୁମ୍ବାଇ: ବି. ଆର୍‌. ଚୋପ୍ରାଙ୍କ ଟେଲିଭିନ୍‌ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ଙ୍କର ଆଜି ଦେହାନ୍ତ ହୋଇଛି। ଗତ କିଛି ମାସ ହେଲାଣି ସେ ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ନିଜର ପୁରୁଣା ବନ୍ଧୁ ଓ ସହକଳାକାରଙ୍କୁ ହରାଇ ଅଭିନେତା ମୁକେଶ ଖନ୍ନା ଭାଙ୍ଗିପଡ଼ିଥିବା କହିଛନ୍ତି।

ଗୁଫି ମୋତେ ମହାଭାରତରେ କାମ କରିବାର ସୁଯୋଗ ଦେଇଥିଲେ। ସେ ବହୁତ ଭଲ ମଣିଷ ଥିଲେ ବୋଲି ସାକ୍ଷାତକାରରେ କହିଛନ୍ତି ମୁକେଶ। ସେ କହିଛନ୍ତି, “ମୁଁ ଗୁଫିଙ୍କ ପୁଅ ସହିତ ଏକ ସପ୍ତାହ ହେଲାଣି ଯୋଗାଯୋଗରେ ଥିଲି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥ‌ା ଭଲ ନଥିଲା। ଆଜି ସକାଳ ୯ଟାରେ ମୁଁ ତାଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲି। ସେ କୋମାରେ ଥିଲେ। ଗତ ରାତିରେ ତାଙ୍କର ଚେତା ଫେରିବା ପରେ ଡାକ୍ତର ଏହାକୁ ଚମତ୍କାର ବୋଲି କହିଥିଲେ। ହେଲେ ଚେତା ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥ‌ା ପୁଣି ବିଗିଡିଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା।”

ସେ ଆହୁରି କହିଛନ୍ତି, “୬ ମାସରୁ ଅଧିକ ସମୟ ହେବ ସେ କଥା କହିପାରୁ ନଥିଲେ। ଆଜି ‌ତାଙ୍କର ଦେହାନ୍ତ ହେବା ଖବର ମୋତେ ଦୁଃଖ ଦେଇଛି। ଆଜି ତାଙ୍କୁ ହରାଇବା ପରେ ତାଙ୍କ ସହ କାମ କରିବାର ସମୟ ମ‌ୋ ଆଖି ଆଗକୁ ଚାଲି ଆସୁଛି। ପୁରା ମହାଭାରତ ଟିମ ମଧ୍ୟରୁ ଗୁଫିଙ୍କ ସହ ମୁଁ ବେଶୀ ଜଡ଼ିତ ଥିଲି। ସେ ହିଁ ମୋତେ ମହାଭାରତ ପାଇଁ କାଷ୍ଟ କରିଥିଲେ। ସେ ଜଣେ ଭଲ ମଣିଷ ଥିଲେ। ମହାଭାରତ ପ‌ରେ ସେ ମୋ ସହ ଶକ୍ତିମାନରେ କାମ କରିଥିଲେ।”

ସମ୍ବନ୍ଧିତ ଖବର