ସିନେମା ‘ଶକ୍ତିମାନ’କୁ ନେଇ ମୁକେଶ ଖାନ୍ନା ଦେଲେ ବି‌ଶେଷ ସୂଚନା

ନୂଆଦିଲ୍ଲୀ: ୯୦ ଦଶକରେ ପିଲାମାନେ ଭୋକଶୋଷ ଭୁଲି ଯାଇ ଟିଭି ଆଗରେ ‘ଶକ୍ତିମାନ’ ଧାରାବାହିକକୁ ଦେଖିବାକୁ ବସିଥାଆନ୍ତି। ଏହି ସମୟରେ ସେମାନେ କାହାରି କିଛି କଥା ଶୁଣନ୍ତି ନାହିଁ। ଖୁବ୍‌ଶୀଘ୍ର ଏହି ‘ଶକ୍ତିମାନ’କୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ବୋଲି କିଛିଦିନ ତଳେ ଖବର ଆସିଥିଲା। ଏହି ଖବର ପରେ ଲୋକେ ବଡ଼ପରଦାରେ ‘ଶକ୍ତିମାନ’କୁ ପୁଣିଥରେ ଦେଖିବାକୁ ପାଇବେ ବୋଲି ଉତ୍ସାହିତ ରହିଛନ୍ତି।

ପଣ୍ଡିତ୍ ଗଙ୍ଗାଧର ବିଦ୍ୟାଧର ମାୟାଧର ଓମ୍‌କାରନାଥ ଶାସ୍ତ୍ରୀ ଓରଫ୍ ଶକ୍ତିମାନ ଭୂମିକାରେ ଅଭିନୟ କରିଥିବା ଅଭିନେତା ମୁକେଶ ଖାନ୍ନା ଗତବର୍ଷ ସୋନି ପିକଚର୍ସ ଇଣ୍ଡିଆ ସହିତ ବଡ଼ ପରଦାରେ ‘ଶକ୍ତିମାନ’କୁ ଆଣିବେ ବୋଲି କଥା ହୋଇଥିଲେ।  ସୋନି ପିକଚର୍ସ ଏକ ଟିଜର ଭିଡିଓ ସେୟାର କରି ଏହାର ଘୋଷଣା କରିଥିଲା। ଏହି ୫୯ ସେକେଣ୍ଡର ଟିଜର୍‌ରେ ଶକ୍ତିମାନ ଗେଟ୍ଅପ୍‌ର କିଛି ଝଲକ ସହ ଗଙ୍ଗାଧରଙ୍କ ଚଷମା ଓ କ୍ୟାମେରା ଆଦି ଦେଖିବାକୁ ମିଳିଥିଲା। ଫିଲ୍ମଟି ୩ଟି ପାର୍ଟରେ ରିଲିଜ୍ ହେବ ବୋଲି କୁହାଯାଉଛି।

ଏହି ସିନେମାକୁ ନେଇ ସମ୍ପ୍ରତି ମୁକେଶ ଖାନ୍ନା ଏକ ବଡ଼ ଖବର ଦେଇଛନ୍ତି। ମୁକେଶ ଖାନ୍ନା ନିଜର ଅଫିସିଆଲ ୟୁଟ୍ୟୁବ ଚାନେଲରେ ଭୀଷ୍ମ ଇଣ୍ଟରନାସନାଲରେ ଅଟକି ରହିଥିବା ପ୍ରୋଜେକ୍ଟ ‘ଶକ୍ତିମାନ’କୁ ‌ନେଇ ବିସ୍ତୃତ ଆଲୋଚନା କରି କହିଛନ୍ତି,‘ଶକ୍ତିମାନ’ ସିନେମା ନିଶ୍ଚିତ ଭାବେ ତିଆରି ହେଉଛି। ଏହାକୁ ଅନ୍ତର୍ଜାତୀୟସ୍ତରକୁ ନେବା ପାଇଁ ଯୋଜନା ବି କରାଯାଉଛି। ସିନେମାକୁ ନେଇ ଚୁକ୍ତି ହୋଇସାରିଛି। ଏହି ସିନେମା ବିଗ ବଜେଟରେ ନିର୍ମାଣ ହେବ। ଯେଉଁଥିପାଇଁ  ୨୦୦ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର