ମୁମ୍ବାଇ: କମେଡି କିଙ୍ଗ୍ କପିଲ୍ ଶର୍ମାଙ୍କ ସୋ’ର ବହୁ ପ୍ରଶଂସକ ଥିବା ବେଳେ ଏହି ସୋ’କୁ କିନ୍ତୁ ଆଦୌ ପସନ୍ଦ କରନ୍ତି ନାହିଁ ‘ମହାଭାରତ’ରେ ଭୀଷ୍ମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଲୋକପ୍ରିୟ ଅଭିନେତା ମୁକେଶ ଖାନ୍ନା। ରବିବାର ଦିନ ସେୟାର ହୋଇଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ମୁକେଶ କାହିଁକି ନିକଟରେ କମେଡି ସୋ’ ସହ ମହାଭାରତ କାଷ୍ଟ ପୁର୍ନମିଳନରେ ଯୋଗ ଦେଇ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି। ମୁକେଶ କହିଛନ୍ତି କି କପିଲ୍ ଶର୍ମାଙ୍କ କମେଡି ସୋ’ ଅତ୍ୟନ୍ତ ଅଶ୍ଳୀଳ ଏବଂ ଖୁବ୍ ବାଜେ। ଏହା ବ୍ୟତୀତ ସେ ସୋ’ ବିରୋଧରେ ଆହୁରି ଅନେକ କଥା କହିଛନ୍ତି।
ମୁକେଶ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି ଯେ ତାଙ୍କୁ ପ୍ରକୃତରେ ସୋ’ରେ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେ ନ ଯିବାକୁ ଉଚିତ ମଣିଥିଲେ। ଆପଣ ଜାଣିଥିବେ ନିଶ୍ଚୟ ଯେ ମହାଭାରତ ସିରିୟଲ୍ରେ ଭୀଷ୍ମ ପିତାମହଙ୍କ ଭୂମିକା ନିଭାଇଥିବା ମୁକେଶ ପୁର୍ନମିଳନରେ କାହିଁକି ଅନୁପସ୍ଥିତ ଥିଲେ ବୋଲି ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଅଭିଯୋଗ ଆଣି ପ୍ରଶ୍ନ କରିଥିଲେ। କେହି କେହି ତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବା ମତ ରଖିଥିଲେ। କେହି କେହି କହିଥିଲେ ଯେ ସେ ନିଜେ ଏହାକୁ ମନା କରି ଦେଇଛନ୍ତି।
ଏହାର ଉତ୍ତରରେ ମୁକେଶ କହିଛନ୍ତି, ‘ ଏହା ସତ୍ୟ ଯେ ଭୀଷ୍ମ ବିନା ମହାଭାରତ ଅସମ୍ପୂର୍ଣ୍ଣ ଅଟେ। ଏହା ସତ୍ୟ ଯେ ଆମନ୍ତ୍ରଣ ନକରିବାର ପ୍ରଶ୍ନ ନାହିଁ। ଏହା ମଧ୍ୟ ସତ୍ୟ ଯେ ମୁଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲି।’
ସେ ଆହୁରି ବି କହିଛନ୍ତି କି ‘ମୋ ପାଖରେ ଖବର ଥିଲା ରାମାୟଣ ଟିମ୍ ପରେ ମହାଭାରତକୁ ମଧ୍ୟ କପିଲ୍ ଶର୍ମା ସୋ’କୁ ଡକାଯିବ। ମାତ୍ର ମୁଁ ସେଠାକୁ ଯିବି ନାହିଁ ବୋଲି ପୂର୍ବରୁ ମନ ସ୍ଥିର କରିଥିଲି। ଏହା ଏକ ଲୋକପ୍ରିୟ ସୋ’ ଏଥିରେ ଦ୍ବିମତ ନାହିଁ। ମାତ୍ର ଆହୁରି ବି କହିବି ଯେ ଏହି ସୋ’ଠାରୁ ଖରାପ ସୋ’ ଦେଶରେ କିଛି ନାହିଁ।’