ପାର୍ଶ୍ୱ ଅଭିନେତାମାନଙ୍କୁ ଆତଙ୍କବାଦୀ ଭାବି ମୁମ୍ବାଇ ପୁଲିସ ଗିରଫ କରିଥିବା ଖବର ମିଛ, ଟୁଇଟ୍ କରି ଚ୍ୟାନେଲକୁ ପୁନଃ ଯାଞ୍ଚ ପାଇଁ କହିଲା ମୁମ୍ବାଇ ପୁଲିସ
ବସାଇ : ବୁଧବାର ମୁମ୍ବାଇର ବସାଇଠାରେ ଆତଙ୍କବାଦୀ ବୋଲି ସନ୍ଦେହ କରି ପୁଲିସ ଦୁଇ ପାର୍ଶ୍ୱ ଅଭିନେତାଙ୍କୁ ଗିରଫ କରିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଦୁଇ ଯୁବକ ଆତଙ୍କବାଦୀ ଭଳି ପୋଷାକ ପିନ୍ଧିଥିବା ଦେଖି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଆତଙ୍କବାଦୀ ବୋଲି ଭାବି ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ପୁଲିସ ଆସି ଦୁହିଁଙ୍କୁ ଗିରଫ କରିଥିଲା । ପରେ ଦୁହେଁ ଫିଲ୍ମର କଳାକାର ଏବଂ ଫିଲ୍ମ ପାଇଁ ଦୁହିଁଙ୍କୁ ଏଭଳି ପୋଷାକ ପିନ୍ଧିବାକୁ ପଡ଼ିଥିବା ପୁଲିସକୁ ଜଣାଇଥିଲେ । କିନ୍ତୁ ଏବେ ଏ ନେଇ ମୁମ୍ବାଇ ପୁଲିସର ବୟାନ ସାମ୍ନାକୁ ଆସିଛି । ଫଟୋରେ ଦେଖାଯଉଥିବା କୌଣସି ଯୁବକଙ୍କୁ ଆମେ ଗିରଫ କରି ନାହୁଁ ବୋଲି କହିଛି ମୁମ୍ବାଇ ପୁଲିସ । ଏହା ସହ ମିଳିଥିବା ସୂଚନାକୁ ପୁଣି ଥରେ ଦେଖି ନିଅନ୍ତୁ ବୋଲି ଖବର ପ୍ରସାର କରିଥିବା ଟିଭି-୯ ଗୁଜୁରାଟକୁ କହିଛି ମୁମ୍ବାଇ ପୁଲିସ ।
Mumbai Police has not picked up any such persons. Kindly verify facts. https://t.co/vGOi2X3dYi
— Mumbai Police (@MumbaiPolice) 30 May 2019
ତେବେ ଦୁହେଁ ଅଭିନେତା ରିତିକ୍ ରୋଶନ ଏବଂ ଟାଇଗର ଶ୍ରଫ୍ଙ୍କ ଫିଲ୍ମରେ ପାର୍ଶ୍ୱ ଅଭିନେତା ଭାବେ କାମ କରୁଥିବା ନେଇ ଗତକାଲି ସୂଚନା ମିଳିଥିଲା । ସୁଟିଂରୁ ବିରତି ନେଇ ବାହାରକୁ ଖାଇବାକୁ ଆସିଥିବା ବେଳେ ଲୋକେ ତାଙ୍କୁ ଦେଖି ଆତଙ୍କବାଦୀ ବୋଲି ଭାବି ନେଇଥିଲେ । ଯାହା ପରେ ପୁଲିସ ସୂଚନା ପାଇ ଦୁହିଁଙ୍କୁ ଗିରଫ କରିଥିଲା ବୋଲି ଗତକାଲି ସାମ୍ନାକୁ ଆସିଥିଲା ।