ନୂଆଦିଲ୍ଲୀ: ଆଇନଗତ ସମସ୍ୟାରେ ପଡ଼ିଛନ୍ତି ଷ୍ଟାଣ୍ଡ-ଅପ୍ କମେଡିଆନ ମୁନାୱର ଫାରୁକୀ। ସେ ଜିଓହଟଷ୍ଟାର ସୋ’ ‘ହପ୍ତା ୱସୁଲି’  ମାଧ୍ୟମରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଆଡଭୋକେଟ୍ ଅମିତା ସଚଦେବ ‘ଏକ୍ସ’ରେ ଏକ କପି ସେୟାର୍‌ କରି ସୋ’ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା ସହ ଧାର୍ମିକ ଭାବନାକୁ ଆଘାତ କରୁଛି ବୋଲି ଅଭିଯୋଗ ଆଣିଛନ୍ତି। 

Advertisment

ଆଡଭୋକେଟ୍ ଆଇଟି ଆଇନ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ସହିତ ବିଏନ୍‌ଏସ୍‌ ଧାରା ୧୯୬, ୨୯୯ ଏବଂ ୩୫୩ ଅନୁଯାୟୀ ଏଫ୍‌ଆଇଆର୍‌ ପାଇଁ ଅନୁରୋଧ କରିଥିବା ଏକ ଇମେଲର ସ୍କ୍ରିନସଟ୍ ସେୟାର କରିଛନ୍ତି। ଅଭିଯୋଗ କରାଯାଇଛି ଯେ ଓଟିଟଇ ସୋ’ ବହୁ ଧର୍ମକୁ ଅପମାନିତ କରୁଛି, ସାଂସ୍କୃତିକ ମୂଲ୍ୟବୋଧକୁ ଉଲ୍ଲଂଘନ କରିବା ସହ ଯୁବ ମନ ଏବଂ ସମାଜକୁ ନକାରାତ୍ମକ ଭାବରେ ପ୍ରଭାବିତ କରୁଛି।

ମୁନାୱର ଫାରୁକୀଙ୍କ ବିରୋଧରେ ତାଙ୍କ ସୋ’ ‘ହପ୍ତା ୱସୁଲି’ ପାଇଁ ଆନୁଷ୍ଠାନିକ ଭାବରେ ଅଭିଯୋଗ ଦାଖଲ କରାଯାଇଛି। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ନ୍ୟାୟର ବିଜୟ ପାଇଁ ମୁଁ କୋର୍ଟର ଦ୍ୱାରସ୍ଥ ହେବି ବୋଲି ଓକିଲ ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। 

ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ପୋଡକାଷ୍ଟର ରଣବୀର ଆଲ୍ଲାହାବାଦିଆଙ୍କ ମନ୍ତବ୍ୟ ପରେ ଏହା ଆସିଛି। ଯେଉଁଠାରେ ‘ବାପାମାଆଙ୍କ ଯୌନ ସମ୍ପର୍କ' ଉପରେ ତାଙ୍କର ମନ୍ତବ୍ୟ ବ୍ୟାପକ ସମାଲୋଚନାର କାରଣ ହୋଇଥିଲା। ଉକ୍ତ ଏପିସୋଡ୍‌ରେ ଉପସ୍ଥିତ ରଣବୀର, ସମୟ ରୈନା ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀଙ୍କ ବିରୋଧରେ ଅନେକ ଏଫଆଇଆର୍ ଦାୟର କରାଯାଇଛି।