ସାଧାରଣ ପରିବାରରେ ଜନ୍ମ, ଆ‌ଖିରେ ଅସୁମାରୀ ସ୍ବପ୍ନ; ସଂଗୀତ ଦୁନିଆର ଶିଖର ଛୁଇଁବା ଆଶା ରଖନ୍ତି ଆରୋହୀ

ଭୁବନେଶ୍ବର: ସଂଗୀତରୁ ଆରମ୍ଭ ହୁଏ ଦିନ ଆଉ ଶେଷ ହୁଏ ବି ସଂଗୀତରେ। ସଂଗୀତକୁ ଜୀବନର ବ୍ରତ କରି ଚାଲୁଥିବା ସେହି ଚୁଲ୍‌ବୁଲି ଝିଅ ଜଣକ ହେଉଛନ୍ତି ଆରୋହୀ ଅଜିତା। ଏକାସାଥିରେ ସେ ଜଣେ ଗୀତିକାର, ଗାୟିକା ଓ ସଂଗୀତ ନିର୍ଦ୍ଦେଶିକା ମଧ୍ୟ। ଖୁବ୍ କମ୍‌ ବୟସରେ ସଫଳତ‌ାକୁ ନିଜ ହାତ ମୁଠାରେ ଧରି ପାରିବାର ସାମର୍ଥ୍ୟ ରଖିଥିବା ଆରୋହୀ ହେଉଛନ୍ତି ଓଡ଼ିଶାର ଜଣେ ଉଦୀୟମାନ ସଂଗୀତ ନିର୍ଦ୍ଦେଶିକା।

ଭଦ୍ରକ ଜିଲ୍ଲାର ସାଧାରଣ ପରିବାରରୁ ଜନ୍ମ ନେଇଥିବା ଆରୋହୀ ପ୍ରାୟ ୭ ବର୍ଷ ହେବ ସଂଗୀତ ସହ ନିଜକୁ ଯୋଡ଼ିଛନ୍ତି। ୨୦୨୧ ମସିହାରେ ୟୁଟ୍ୟୁବ୍‌ରେ ମୁକ୍ତିଲାଭ କରିିଥିବା ତାଙ୍କ ନିର୍ଦ୍ଦେଶିତ ଗୀତ ‘ଓ ସାଜନା ଓ ରାଞ୍ଜଣା’ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ଗୀତଟିରେ କଣ୍ଠଦାନ କରିଥିଲେ ହ୍ୟୁମାନ୍‌ ସାଗର ଓ ଦୀପ୍ତିରେଖା ପାଢ଼ୀ। ଗୀତଟିକୁ ଲେଖିବା ସହ ନିର୍ଦ୍ଦେଶନା ଦେଇଥିଲେ ନିଜେ ଆରୋହୀ। ଏହି ଗୀତଟିକୁ ଦର୍ଶକ ଏତେ ଭଲପାଇବା ଦେଇଛନ୍ତି ଯେ ଗୀତଟି ଏବେ ୟୁଟ୍ୟୁବ୍‌ରେ ପ୍ରାୟ ୧ ମିଲିୟନ୍‌ ଭିୟୁ ହୋଇ ସାରିଲାଣି।

‘ଏତେ ଭଲପାଅନି ମୋ‌ତେ’ ଗୀତରୁ ନିଜର କ୍ୟାରିୟର୍‌ ଆରମ୍ଭ କରି ଆରୋହୀ ପରେ ପରେ ‘କିଛି କିଛି ଆଶା’, ‘ଲଭ୍‌ ତୋର ଲେମ୍ବୁ ଲଙ୍କା’, ‘ଓ ସୋନା’, ‘ଯାଆନି ଯାଆନି ରେ’, ‘ତୁ ଜରୁରୀ’, ‘କହରେ ମାହି’, ‘ରେ ମନ’, ‘ହାତ ଛାଡ଼ି କାହିଁ ଗଲୁ’, ‘ଓ ସାଇଡ୍‌ ବିଲ୍ଡିଂୱାଲି’, ‘ନାଲି ଓଢ଼ଣି’, ‘ସ୍ବାର୍ଥପର ପ୍ରେମିକା’, ‘ପ୍ରେମରେ ତୋ ପ୍ରେମରେ’ ଆଦି ଅନେକ ଗୀତ କରିଛନ୍ତି। ଦର୍ଶକଙ୍କୁ ଭଲ ଲାଗିବା ପରି ଅନେକ ହିନ୍ଦୀ ଗୀତ ବି ତିଆରି କରିଛନ୍ତି ଆରୋହୀ।

ଆରୋହୀ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି, କୁଳଦୀପ ପଟ୍ଟନାୟକ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅସୀମା ପଣ୍ଡା ଆଦିଙ୍କ ସହ କାମ କରି ସାରିଛନ୍ତି। ଜଣେ ପ୍ରତିଭାବାନ୍ ସଂଗୀତ ନିର୍ଦ୍ଦେଶିକା ଓ କଣ୍ଠଶିଳ୍ପୀ ଭାବେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି।

ସଂଗୀତ ଦୁନିଆର ଶୀର୍ଷ ଛୁଇଁବାର ଅଭିଳାଷ ରଖିଥିବା ଆରୋହୀ ଜଣେ ଚିତ୍ରଶିଳ୍ପୀ ମଧ୍ୟ। ଫାଙ୍କା ସମୟରେ ସେ ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି। ସାଧାରଣ ଜୀବନଯାପନ କରୁଥିବା ଆରୋହୀଙ୍କ ସ୍ବପ୍ନ କିନ୍ତୁ ଅସାଧାରଣ। ନିଜର ସ୍ବପ୍ନଙ୍କ ମେଳରେ ଜୀବନ କାଟୁଥିବା ଆରୋହୀ ମାତ୍ର ୨୫ ବର୍ଷ ବୟସରେ ଏତେ ସବୁ ସଫଳତା ଅର୍ଜନ କରିପାରିଛନ୍ତି।

  ସାକ୍ଷାତ ଓ ଉପସ୍ଥାପନା:  ବନ୍ଦନା ମିଶ୍ର

ସମ୍ବନ୍ଧିତ ଖବର