ଭୁବନେଶ୍ୱର: ‘ଆପଣମାନେ ଖୁସି ତ..’? ଓଡ଼ିଆ ସଂଗୀତ ପ୍ରେମୀଙ୍କ ପାଇଁ ଏପରି ଏକ ଚମତ୍କାର ଶୀର୍ଷକ ଗୀତଟି ଶୁକ୍ରବାର ଭୁବନେଶ୍ୱରସ୍ଥିତ ହୋଟେଲ୍‌ ଏକ୍ସେଲେନ୍ସିଠାରେ ରିଲିଜ୍‌ ହୋଇଯାଇଛି। ଗୀତଟିକୁ ଲେଖିଛନ୍ତି ବସନ୍ତରାଜ ସାମଲ। ଚଳଚ୍ଚିତ୍ର ‘ଫ୍ରମ ମି ଟୁ ୟୁ’ର ମ୍ୟୁଜିକ ରିଲିଜ୍‌ ଅବସରରେ ଚଳଚ୍ଚିତ୍ରରେ ଥିବା ସମୁଦାୟ ୫ଟି ଯାକ ଗୀତ ଲୋକାର୍ପଣ ହୋଇଛି। ଏହି ଗୀତଗୁଡ଼ିକର ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଓଡ଼ିଶାର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଗୀତଗୁଡ଼ିକୁ ଗାଇଛନ୍ତି ଅସୀମା ପଣ୍ଡା, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ ଓ ଅନ୍ୟନ୍ୟା ଶ୍ରୀତମ ନନ୍ଦ। ଗୀତଗୁଡ଼ିକର ମଝିରେ ମଝିରେ ବ୍ୟୁଟିଫୁଲ୍‌ ଦାସବାବୁଙ୍କ କଣ୍ଠରୁ କିଛି ସଂଳାପ ବି ଶୁଣିବାକୁ ମିଳିଛି।

Advertisment

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଲିଉଡ୍‌ ସୁପର୍‌ଷ୍ଟାର୍‌ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଭଲପାଇବା ରହିଲେ ହିଁ ଓଲିଉଡ୍‌ ଦୁନିଆ ସମୃଦ୍ଧ ହେବ ବୋଲି ଏହି ଦୁଇ କଳାକାର ଭାଷଣ ଦେଇ ମତ ରଖିଥିଲେ।

publive-image

‘ରିସ୍ତା ୱେଭ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନର’ରେ ନିର୍ମିତ ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜକ ଭାବେ ରାଜେଶ କୁମାର ମହାନ୍ତି ଦାୟିତ୍ୱ ତୁଲାଇଥିବା ବେଳେ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ହେମନ୍ତ କୁମାର ସାହୁ। ସହଯୋଗୀ ନିର୍ଦ୍ଦେଶକ ଅଛନ୍ତି ଅଶ୍ୱିନୀ ଗଡ଼ନାୟକ। ସେହିପରି କ୍ରିଏଟିଭ୍‌ ମୁଖ୍ୟ ଅଛନ୍ତି ଅଚିନ୍ତ୍ୟ ବେହରା। ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ଜ୍ୟୋତି, ଶ୍ରଦ୍ଧା ଓ ଅମ୍ଳାନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ବିଜୟ ମହାନ୍ତି, ପ୍ରଜ୍ଞା, ସ୍ମିତା ମହାନ୍ତି, ଶ୍ରୀଲା, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, ପୂଜା, ଲିଜା ଓ ଅଜୟ।