ଯେଉଁ ସମୟରେ ପ୍ରେମ ନିୟମିତ ଭାବେ ପ୍ରତାରଣା ଏବଂ ଚରମ ପରିସ୍ଥିତିରେ ହତ୍ୟା ପରି ଅପରାଧର କାରଣ ସାଜି ଜନମାନସରେ ଦୁର୍ନାମ ଅର୍ଜନ କରିଛି, ସେତେବେଳେ ବିବାହିତ/ଅବିବାହିତ ଲୋକଙ୍କ ଅନୈତିକ ସମ୍ପର୍କକୁ ସିନେମାର କେନ୍ଦ୍ରରେ ରଖି ଅନୁରାଗ ବସୁ ବଡ଼ ବିପଦ ବରଣ କରିଛନ୍ତି- ଅନ୍ତତଃ ସିନେମା ଆରମ୍ଭରେ ବିଭିନ୍ନ ଚରିତ୍ର ସହ ପରିଚିତ ହେବା ସମୟରେ ଏହି ଆଶଙ୍କା ମନରେ ସୃଷ୍ଟି ହୁଏ। ତେବେ ସିନେମା ଆଗକୁ ବଢ଼ିବା ସହିତ ଜଟିଳ କାହାଣୀ ରଚନାରେ ଅନୁରାଗଙ୍କ ଅତୁଳନୀୟ ପରିପକ୍ବତା ଏହି ଆଶଙ୍କାକୁ ଦୂରୀଭୂତ କରିଦେଲା। କାହାଣୀ, ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦେଶନା ଓ ଅଭିନେତା ଭାବରେ ଅନୁରାଗ ଦର୍ଶକଙ୍କୁ ଯେଉଁ ବିରଳ ଆତ୍ମସନ୍ତୋଷପୂର୍ଣ୍ଣ ଅଭିଜ୍ଞତା ଦେଇଛନ୍ତି ତାହାର ଯେତେ ପ୍ରଶଂସା କଲେ ବି କମ୍ ହେବ। କେବଳ ସେତିକି ନୁହେଁ, ପଟୁତା ଦୃଷ୍ଟିରୁ ପ୍ରବୀଣ ଅଭିନେତାଙ୍କ ସହ ଅଳ୍ପ ଅଭିଜ୍ଞ ଅଭିନେତାଙ୍କ ପ୍ରଦର୍ଶନ ଭିତରେ ପ୍ରତିଯୋଗିତା ଭିନ୍ନ ଏକ ସମୀକ୍ଷାର ଦାବି କରୁଛି।
ଅଠର ବର୍ଷ ତଳେ ‘ଲାଇଫ ଇନ୍ ଏ ମେଟ୍ରୋ’ ଯେଉଁ କଥାବସ୍ତୁ ଓ ଚରିତ୍ର ପାଇଁ ଏକ କ୍ଲାସିକ୍ ସିନେମା ପାଲଟିଥିଲା, ସେହି ଧାରାକୁ ଜାରି ରଖି ଏକ ‘ସିକ୍ବେଲ୍’ ଭାବେ ‘ମେଟ୍ରୋ ଇନ ଦିନୋ’ ନିର୍ମିତ। ସାଧାରଣତଃ ‘ସିକ୍ବେଲ୍’ଗୁଡ଼ିକ ମୂଳ ଚଳଚ୍ଚିତ୍ରର ଆବେଦନକୁ ଅତିକ୍ରମ କରିବା ବିରଳ, କିନ୍ତୁ ‘ମେଟ୍ରୋ ଇନ ଦିନୋ’ ସେ ଦୃଷ୍ଟିରୁ ଏକ ବ୍ୟତିକ୍ରମ। କିଂବଦନ୍ତି ଅଭିନେତା ଇରଫାନ ଖାଁ ପ୍ରଥମ ସିନେମାରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଥିଲେ, ତାଙ୍କ ଶୂନ୍ୟସ୍ଥାନକୁ ପଙ୍କଜ ତ୍ରିପାଠୀ ଚମତ୍କାର ଢଙ୍ଗରେ ପୂରଣ କରିଛନ୍ତି। ଡେଟିଂ ଆପ୍, ଏଆଇ, ଏଲ୍ଜିବିଟିକ୍ୟୁ ଭଳି ନୂଆ କଥା ଏଥିରେ ଯୋଡ଼ା ଯାଇଥିବା ବେଳେ ନାରୀ ଚରିତ୍ରମାନଙ୍କୁ ଏହି ସିନେମାରେ ଅଧିକ ପ୍ରତିନିଧିତ୍ବ ମିଳିଛି। ସଂଗୀତ ନିର୍ଦେଶକ ପ୍ରୀତମ ଏହି ସିନେମାକୁ ଆତ୍ମା ଦେଇଛନ୍ତି। ଏହିସବୁ ବୈଶିଷ୍ଟ୍ୟ ଯୋଗୁଁ ସାଂପ୍ରତିକ ଦାମ୍ପତ୍ୟ ଓ ପ୍ରେମ ଜୀବନର ଜଟିଳତାକୁ ପରଦା ସମ୍ମୁଖରେ ତୋଳି ଧରିବାରେ ‘ମେଟ୍ରୋ ଇନ ଦିନୋ’ ଅଭୂତପୂର୍ବ ସଫଳତା ହାସଲ କରିଛି।
ଭିନ୍ନ ଭିନ୍ନ ବୟସର ଚାରି ଯୋଡ଼ା ଦମ୍ପତି/ପ୍ରେମୀଯୁଗଳଙ୍କ ଛନ୍ଦାଛନ୍ଦି ଜୀବନଯାତ୍ରା ରହିଛି ଏହି ସିନେମାରେ। ଚାରିଟି ମେଟ୍ରୋ ସହର ଏଥିରେ ପ୍ରଦର୍ଶିତ ହୋଇଥିଲେ ହେଁ ଗୋଆ, ହିମାଚଳପ୍ରଦେଶର ଛୋଟମୋଟ ସହରରେ ମଧ୍ୟ ଏହାର କାହାଣୀ ଆଗେଇଛି। କାଜୋଲ (କୋଙ୍କଣା) ଓ ମଣ୍ଟି (ପଙ୍କଜ) ଏକ ମଧ୍ୟବୟସ୍କ ଦମ୍ପତି; ସେମାନଙ୍କ ରୁଚିହୀନ ଜୀବନରେ ଡେଟିଂ ଆପ୍ର ଅନୁପ୍ରବେଶ ପ୍ରତାରଣା ପାଇଁ ବାଟ ଫିଟାଉଛି। ଶ୍ରୁତି (ଫାତିମା) ଓ ଆକାଶ (ଅଲୀ) ନିଜନିଜ ଅଭିଳାଷ ପାଇଁ ସଂଘର୍ଷ କରିବା ଭିତରେ ତୃତୀୟ ପକ୍ଷର ଅନୁପ୍ରବେଶ ହେଉଛି। ଚୁମକି (ସାରା) କୌଣସି କଥା ନେଇ ନିଶ୍ଚିତ ହୋଇପାରୁ ନଥିବା ଜଣେ ଚଞ୍ଚଳମନା ଯୁବତୀ ଓ ପାର୍ଥ (ଆଦିତ୍ୟ) ଆବେଗପୂର୍ଣ୍ଣ ପ୍ରେମକୁ ଡରୁଥିବା ଜଣେ ଲମ୍ପଟ। ଶିବାନୀ (ନୀନା) ଓ ସଂଜୀବ (ଶାଶ୍ବତ ଚାଟାର୍ଜୀ) ଉତ୍ତୀର୍ଣ୍ଣ ବୟସର ଏକ ଦମ୍ପତି, ଯେଉଁଠି ଶିବାନୀ ନିଜ ଅପୂର୍ଣ୍ଣ ଇଚ୍ଛା ପୂରଣ କରିବା ପାଇଁ ପୁରୁଣା ପ୍ରେମିକ ପରିମଲ (ଅନୁପମ)ଙ୍କ ସହ କିଛି କାଳ କାଟୁଛନ୍ତି।
ଏ ଭିତରେ ସମସାମୟିକ ପ୍ରେମ ଓ ବୈବାହିକ ଜୀବନର ପ୍ରାୟ ସବୁ ଦିଗ ଓ ଦିଗନ୍ତକୁ ବିବେକ, ନୈତିକତା ଓ ଦାୟିତ୍ବ ଦୃଷ୍ଟିରୁ ଅନୁଶୀଳନ କରାଯାଇଛି। ଏହି ସିନେମାର ସୌନ୍ଦର୍ଯ୍ୟ ହେଲା ଏଥିରେ କୌଣସି ଚରିତ୍ର ଛିଦ୍ରମୁକ୍ତ ନୁହଁ, ଠିକ୍ ଅସଲ ଜୀବନ ପରି। ବିଶେଷ କରି ନାରୀ ଚରିତ୍ରମାନେ ନିଜର ଅପୂର୍ଣ୍ଣ ଅଭିଳାଷ ପୂରଣ କରିବା ପାଇଁ ବେଳେବେଳେ ନୈତିକତାର ସୀମା ଲଂଘନ କରୁଛନ୍ତି, କପଟାଚାର କରୁଛନ୍ତି କିନ୍ତୁ ସେମାନଙ୍କୁ ସେଥିରୁ କୌଣସି ପୁରୁଷ ଉଦ୍ଧାର କରୁ ନାହିଁ, ସେମାନେ ନିଜେ ନିଜର ବିବେକକୁ ଅନୁସରଣ କରି ପ୍ରେମର ମାର୍ଗକୁ ଫେରିଆସୁଛନ୍ତି। ଦର୍ଶକମାନେ କୌଣସି ନା କୌଣସି ଚରିତ୍ର ମଧ୍ୟରେ ନିଜକୁ ଆବିଷ୍କାର କରିବେ।
‘ମେଟ୍ରୋ ଇନ୍ ଦିନୋ’ ଚଳଚ୍ଚିତ୍ରର ଏକ ବଡ଼ ଅଭାବବୋଧ ହେଲା ଏଥିରେ କେବଳ ଉଚ୍ଚ ବର୍ଗର ଲୋକଙ୍କ କାହାଣୀ ପ୍ରଦର୍ଶିତ ହୋଇଛି। ପୁଣି ସବୁ ଚରିତ୍ର ଶେଷରେ ସୁଖଦ ଜୀବନକୁ ଫେରିଛନ୍ତି, ଯାହା ଅବାସ୍ତବ ମନେ ହୁଏ। ଏହି ସିନେମା ମାଧ୍ୟମରେ ଅନୁରାଗ ଯେଉଁ ବାର୍ତ୍ତା ଦେବାକୁ ଚାହିଁଛନ୍ତି ତାହା ଖୁବ୍ ସରଳ- ଦୀର୍ଘକାଳୀନ ସମ୍ପର୍କକୁ ବଜାୟ ରଖିବାକୁ ହେଲେ ବାରମ୍ବାର ପ୍ରେମରେ ପଡ଼ିବାକୁ ହୁଏ। ତାହା ଏତେ ସହଜ ନୁହେଁ ଏବଂ ବେଳେବେଳେ ଅସହନୀୟ ମନେ ହେବା ଅବଧାରିତ, କିନ୍ତୁ ପ୍ରେମରେ ପୂର୍ଣ୍ଣତା ପାଇଁ ଆଉ କୌଣସି ବିକଳ୍ପ ନାହିଁ। ପ୍ରେମ ସହିତ ନୂଆ କରି ପ୍ରେମରେ ପଡ଼ିବା ପାଇଁ ‘ମେଟ୍ରୋ ଇନ୍ ଦିନୋ’ ନିଶ୍ଚୟ ଦେଖନ୍ତୁ।