ଭାରତରେ ମହିଳା ଗୁଇନ୍ଦାଙ୍କ କାରନାମାର କାହାଣୀ ଅପେକ୍ଷାକୃତ କମ୍ ଶୁଣିବାକୁ ମିଳେ। କେତେଜଣ ଅସଲ ଜୀବନରେ ଗୁଇନ୍ଦାଗିରି କରୁଥିବା ବେଳେ ଆଉ କେତେକ କାଳ୍ପନିକ ଚରିତ୍ର ପୁସ୍ତକ, ସିନେମା ଓ ଧାରାବାହିକ ମାଧ୍ୟମରେ ଖୁବ୍ ଲୋକପ୍ରିୟ ହୋଇଛନ୍ତି। ଏହି କ୍ରମରେ ଆସନ୍ତି ମୁମ୍ବାଇର ମହିଳା ଗୁଇନ୍ଦା ଲାଲି ଏଲ୍ଆର୍ ବା ଲାଲି ଲାଷ୍ଟ୍ ରିସର୍ଟ। ବହୁ ଜଟିଳ ଅପରାଧର ପର୍ଦ୍ଦାଫାସ୍ କରିଥିବା ଲାଲି ଏଥିଲାଗି ନିଜର ତୀକ୍ଷ୍ଣ ଧୀଶକ୍ତି ଉପଯୋଗ କରିଥାଆନ୍ତି। ଲେଖିକା କଳ୍ପନା ସ୍ବାମୀନାଥନ୍ଙ୍କ ଗଳ୍ପ ଓ ଉପନ୍ୟାସର ନାୟିକା ଲାଲିଙ୍କୁ ଏବେ ପାଠକ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ପେଡ଼ାଶୀ ତଥା ଗୁଇନ୍ଦା ଲାଲିଙ୍କ ବାନ୍ଧବୀ ସିତାରା ହଠାତ୍ ଆତଙ୍କିତ ହୋଇ ସାହାଯ୍ୟ ପାଇଁ ଫୋନ୍ କଲେ। ଲାଲି ନ ଥିବାରୁ ଝିଅାରୀ ସୀତା ସାହାଯ୍ୟ କରିବାକୁ ଧାଇଁଗଲା। ସୀତା ଯାଇ ଡୋର୍ବେଲ୍ ବଜାଇବା ବେଳକୁ ସିତାରାଙ୍କ ଘର ୪, କାଲିନା ସ୍ପୁଟ୍ନିକରେ ନିରବତା ବିରାଜମାନ କରୁଛି। ତା’ପରେ କବାଟ ଖୋଲିଗଲା। ବୈଠକଖାନାରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲା ଜଣେ ବ୍ୟକ୍ତିଙ୍କ ଶବ। ବୟସ ଚାଳିଶି ପାଖାପାଖି ହେବ। ଦେହମୁଣ୍ଡ ଅପରିଚ୍ଛନିଆ ଦିଶୁଥିବା ଲୋକଟିକୁ ସୀତା ଚିହ୍ନି ନ ଥିଲା। ଘରେ ସିତାରା ବି ନ ଥିଲେ। ଅଗତ୍ୟା ସୀତା ପୁଲିସ୍କୁ ଫୋନ୍ କଲା। ସେତେବେଳେ ମୁମ୍ବାଇ ବାହାରେ ଥିବା ଗୁଇନ୍ଦା ଲାଲି ଫେରିଆସି ହତ୍ୟାକାଣ୍ଡର ତଦନ୍ତ ଭାର ନେଲେ। ପରିଶେଷରେ ଗୁଇନ୍ଦା ଲାଲି ଏଲ୍ଆର୍ ମୁମ୍ବାଇ ଆପାର୍ଟମେଣ୍ଟ୍ରେ ହୋଇଥିବା ଏହି ନରହତ୍ୟା ରହସ୍ୟ ଉନ୍ମୋଚନ କଲେ। କଳ୍ପନା ସ୍ବାମୀନାଥନ୍ଙ୍କ ରଚିତ ‘ଦି ମନୋକ୍ରୋମ୍ ମାଡୋନା’ ପୁସ୍ତକରେ ଲାଲିଙ୍କ ଏହି କାରନାମାର କାହାଣୀ ବର୍ଣ୍ଣିତ ହୋଇଛି।
କିଏ ଏହି ଲାଲି?
ପୁଲିସ ବିଭାଗ ଚାକିରିରେ ତିରିଶ ବର୍ଷ ବିତାଇଥିବା ଲାଲିଙ୍କ ବୟସ ତେଷଠି ବର୍ଷ, ଉଚ୍ଚତା ପାଞ୍ଚ ଫୁଟ୍ ଛଅ ଇଞ୍ଚ୍ ଏବଂ ଓଜନ ପ୍ରାୟ ୬୪ କିଲୋଗ୍ରାମ୍। ଫୋରେନ୍ସିକ୍ରେ ଡକ୍ଟର୍ ଅଫ୍ ମେଡିସିନ୍ କରିଥିବା ଏହି ମହିଳା ପୁଲିସ ଅଧିକାରୀଙ୍କ ଛଦ୍ମନାମ ଲାଲି ଏଲ୍ଆର୍ ବା ଲାଲି ଲାଷ୍ଟ୍ ରିସର୍ଟ। କାରଣ ସମାଧାନର ସୂତ୍ର ମିଳୁ ନ ଥିବା କୌଣସି ଅପରାଧର ରହସ୍ୟ ଭେଦ କରିବା ଲାଗି ପୁଲିସଙ୍କ ପାଇଁ ଶେଷ ଆଶ୍ରା ହେଉଛନ୍ତି ଲାଲି। ୬୩ ବର୍ଷୀୟା ଅବିବାହିତ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଲାଲି ଖୁବ୍ ସଉକୀ ମିଜାଜ୍ର। ତାଙ୍କର ପ୍ରକୃତ ନାଆଁ କାହାକୁ ଜଣାନାହିଁ। ଆଗରୁ ସେ ମୁମ୍ବାଇ ପୁଲିସର ଗୁଇନ୍ଦା ବିଭାଗରେ ଚାକିରି କରୁଥିଲେ। ଏବେ ସେ ପୂରା ଦମ୍ରେ ଗୁଇନ୍ଦାଗିରିରେ ମାତିଛନ୍ତି। ଲାଲିଙ୍କର ତଦନ୍ତରେ ମୁଖ୍ୟ ସହଯୋଗୀ ହେଉଛନ୍ତି ଇନ୍ସ୍ପେକ୍ଟର୍ ସାବିଓ, ଇନ୍ସ୍ପେକ୍ଟର୍ ଶୁକ୍ଳା ଓ ଫୋରେନ୍ସିକ୍ ଡାକ୍ତର କ୍ୟୁରେସୀ। ଏମାନେ କେବଳ ସହଯୋଗୀ ନୁହନ୍ତି, ତାଙ୍କ ପରିବାର ସଦସ୍ୟଙ୍କ ଭଳି। ସାଧାରଣତଃ ତାଙ୍କର ତଦନ୍ତ ପରିସର ହେଉଛି ମୁମ୍ବାଇ। ଲେଖିକା ହେବାକୁ ଆଶାୟୀ ଝିଆରୀ ସୀତା ହେଉଛି ଲାଲିଙ୍କ କାର୍ଯ୍ୟକଳାପ ଓ ତଦନ୍ତ ଧାରାର ବର୍ଣ୍ଣନାକାରିଣୀ।
କ୍ରିପ୍ଟିକ୍ ଡେଥ୍ରୁ କାଲାଘୋଡ଼ା ଆଫେୟାର୍
ପ୍ରଥମେ ଲାଲି ଚରିତ୍ର ପ୍ରକଟ ହୋଇଥିଲା କଳ୍ପନାଙ୍କ ‘କ୍ରିପ୍ଟିକ୍ ଡେଥ୍ ଆଣ୍ଡ୍ ଅଦର୍ ଷ୍ଟୋରିଜ୍’ ଶୀର୍ଷକ କ୍ଷୁଦ୍ରଗଳ୍ପ ସଙ୍କଳନରେ। ତା’ର ଦଶ ବର୍ଷ ପରେ ଲାଲି ଉପନ୍ୟାସ ଚରିତ୍ର ଭାବେ ପୁଣି ଉପସ୍ଥିତ ହେଲେ ‘ଦି ପେଜ୍ ଥ୍ରି ମଡର୍ସ’ରେ। ସେ ହେଉଛନ୍ତି ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପ୍ରତିବଦ୍ଧତା ଥିବା ଚମତ୍କାର ଚରିତ୍ର। ୧୯୯୭ରେ ପ୍ରକାଶିତ ‘କ୍ରିପ୍ଟିକ୍ ଡେଥ୍’ରୁ ଆରମ୍ଭ କରି ୨୦୨୩ରେ ପ୍ରକାଶିତ ‘ଦି କାଲାଘୋଡ଼ା ଆଫେୟାର୍’ ପୁସ୍ତକରେ ଲାଲିଙ୍କ ତଦନ୍ତ ଆଗେଇ ଚାଲିଛି। ମିସ୍ ମାର୍ପଲ୍ଙ୍କ ଉତ୍ତରାଧିକାରିଣୀ କହିଲେ ଅତ୍ୟୁକ୍ତି ହେଉ ନ ଥିବା ଲାଲି ଏଲ୍ଆର୍ ଚରିତ୍ର ସମଗ୍ର ଉପନ୍ୟାସ ସିରିଜ୍ରେ ବର୍ଣ୍ଣନାକାରିଣୀ ସୀତାଙ୍କ ଦ୍ବାରା ଚିତ୍ରାୟିତ ହୋଇଛନ୍ତି।
କାଲାଘୋଡ଼ା ନିଖୋଜ
ଜଣେ ଭାରତୀୟ ରାଜପୁତ୍ର ଜଣେ ଅନିନ୍ଦ୍ୟ ସୁନ୍ଦରୀ ୟୁରୋପୀୟ ଯୁବତୀଙ୍କ ପ୍ରେମରେ ପଡ଼ିଗଲେ। ତତ୍କାଳୀନ ବମ୍ବେ ନଗରୀର କାଲାଘୋଡ଼ା ଅଞ୍ଚଳରେ ୟୁରୋପୀୟମାନଙ୍କୁ ସୁହାଇଲା ଭଳି ଗୋଟିଏ ହୋଟେଲ୍ରେ ସେ ଯୁବତୀ ରହୁଥିଲେ। ଦିନେ ରାଜପୁତ୍ର ଯୁବତୀଙ୍କୁ ଅତ୍ୟନ୍ତ ଦାମୀ ସୁନାହାରଟିଏ ଭେଟି ଦେଲେ। ସୁନାହାର ମଝିରେ ଝୁଲୁଥିଲା ‘କାଲାଘୋଡ଼ା’ରୂପେ ଜଣାଶୁଣା ଗାଢ଼ନୀଳ ରତ୍ନପଥରଟିଏ। ଦୁର୍ଯୋଗକୁ ମହାମାରୀ ବ୍ୟାପିବାରୁ ସେ ୟୁରୋପୀୟ ଯୁବତୀଙ୍କୁ ଅକସ୍ମାତ୍ ସହର ଛାଡ଼ି ପ୍ୟାରିସ୍ ଯିବାକୁ ପଡ଼ିଲା। ସେ ରାଜପୁତ୍ରଙ୍କଠାରୁ ବିଦାୟ ମଧ୍ୟ ନେଇପାରିଲେ ନାହିଁ। କିନ୍ତୁ, ଯିବା ଆଗରୁ ରାଜପୁତ୍ରଙ୍କ ଘୋଡ଼ା ସଇସ ମଦନ ହାତରେ ସେ ସୁନାହାର ଥିବା ବାକ୍ସଟି ଫେରାଇ ଦେଇଥିଲେ। ବାକ୍ସ ଖୋଲି ରାଜପୁତ୍ର ଦେଖନ୍ତି ତ ହାର ଅଛି କିନ୍ତୁ, ସେଥିରେ ଲାଗିଥିବା ରତ୍ନପଥରଟି ନାହିଁ। ବହୁ ତନାଘନା ଓ ତଦନ୍ତ ପରେ ବି ସେ ରତ୍ନପଥର ଉଭାନ ହେବା ରହସ୍ୟ ଭେଦ ହୋଇପାରିଲାନାହିଁ। ଘଟଣାଟି ୧୮୯୬ରେ ତତ୍କାଳୀନ ବମ୍ବେରେ ଘଟିଥିଲା। ୧୨୫ ବର୍ଷର ଏହି ଚୋରି ରହସ୍ୟ ଭେଦ କରିବା ଦାୟିତ୍ବ ପଡ଼ିଲା ଲାଲିଙ୍କ ଉପରେ। ଏହା ମଧ୍ୟ ‘ଦି କାଲାଘୋଡ଼ା ଆଫେୟାର୍’ ନାମକ କଳ୍ପନାଙ୍କ ଆଉ ଗୋଟାଏ ଉପନ୍ୟାସରେ ଲାଲିଙ୍କ ଝିଆରୀ ସୀତା ବର୍ଣ୍ଣନା କରିଛି। ସନ୍ଦିଗ୍ଧ ମୃତ୍ୟୁ ତଦନ୍ତକାରୀ ଗୁଇନ୍ଦା ଭାବେ ତାଲିମ ପାଇଥିବା ଓ ଚାକିରି ଜୀବନରୁ ପ୍ରାପ୍ତ ଅଭିଜ୍ଞତା ବଳରେ ଲାଲି ଏତେ ପୁରୁଣା ଚୋରି ଘଟଣାର ରହସ୍ୟ ମଧ୍ୟ ଭେଦକଲେ। ତାଙ୍କର ମେଧାଶକ୍ତି ଏତେ ପ୍ରଖର ଯେ, ମାମଲାର ତଦନ୍ତ ପ୍ରାୟ ଅଧାଅଧି ପହଞ୍ଚିଲା ବେଳକୁ ସେ ଅପରାଧୀକୁ ଚିହ୍ନଟ କରିପକାଉଥିଲେ। ଲାଲିଙ୍କ ମସ୍ତିଷ୍କ ତୀକ୍ଷ୍ଣ ଏବଂ ତା’ ଅପେକ୍ଷା ଆହୁରି ତୀକ୍ଷ୍ଣ ଅପରାଧୀଙ୍କୁ ଶୁଙ୍ଘି ବାହାର କରୁଥିବା ତାଙ୍କ ନାକ।
କେବଳ ନାଁ’କୁ ଲାଲି
ପ୍ରକୃତ କଥା ହେଉଛି, ଲାଲି ବୋଲି କୌଣସି ଗୁଇନ୍ଦା ନାହାନ୍ତି। ସେ ହେଉଛନ୍ତି ଔପନ୍ୟାସିକା କଳ୍ପନା ସ୍ବାମୀନାଥନ୍ଙ୍କ ଦ୍ବାରା ସୃଷ୍ଟ ଗୋଟାଏ କାଳ୍ପନିକ ଚରିତ୍ର। କିନ୍ତୁ, ତାଙ୍କର କାର୍ଯ୍ୟଧାରା ତାଙ୍କୁ ବିଶ୍ବର ଅନ୍ୟାନ୍ୟ କାଳ୍ପନିକ ମହିଳା ଗୁଇନ୍ଦାଙ୍କଠାରୁ ପୃଥକ୍ କରୁଛି। କୁହାଯାଏ, ବିଶ୍ବ ଅାପରାଧିକ ଉପନ୍ୟାସ ବର୍ଗରେ କାଳ୍ପନିକ ମହିଳା ଗୁଇନ୍ଦାମାନଙ୍କର ଯଥେଷ୍ଟ ଗୁରୁତ୍ବ ରହିଛି। ପାଠକମାନଙ୍କୁ ସମ୍ମୋହିତ କରୁଥିବା ସେଭଳି କେତେକ ଉଲ୍ଲେଖନୀୟ ଗୁଇନ୍ଦା ଚରିତ୍ର ହେଉଛନ୍ତି- ଆଗାଥା କ୍ରିଷ୍ଟିଙ୍କ ‘ମିସ୍ ମାର୍ପଲ୍’, କିନିଙ୍କ ‘ନାନ୍ସି ଡ୍ରିଉ’ ଏବଂ ହେଲ୍ବର୍ଣ୍ଣଙ୍କ ‘କେଟ୍ ଫାନ୍ସ୍ଲର୍’। ଭାରତୀୟ ଉପନ୍ୟାସରେ କେତେକ ସୁପରିଚିତ କାଳ୍ପନିକ ଗୁଇନ୍ଦା ଚରିତ୍ର ହେଉଛନ୍ତି- ଫେଲୁଦା, ବ୍ୟୋମକେଶ ବକ୍ସି ଓ ଇନ୍ସ୍ପେକ୍ଟର୍ ଘୋଟେ ଇତ୍ୟାଦି। କିନ୍ତୁ, ଭାରତୀୟ ଅପରାଧିକ ଉପନ୍ୟାସରେ କାଳ୍ପନିକ ମହିଳା ଗୁଇନ୍ଦାଙ୍କ ପ୍ରତିନିଧିତ୍ବ ନ ଥିଲା। ଏ ଭଳି ଅଭାବ ପୂରଣ କରିବା ଲାଗି ଯେଉଁ କେତେଜଣ ଲେଖିକା ଉଦ୍ୟମ କରିଛନ୍ତି, ତନ୍ମଧ୍ୟରୁ କଳ୍ପନା ସ୍ବାମୀନାଥନ୍ ଅନ୍ୟତମା। ତାଙ୍କଦ୍ବାରା ସୃଷ୍ଟ ସଫଳ ମହିଳା ଗୁଇନ୍ଦା ହେଉଛନ୍ତି ଲାଲି ଲାଷ୍ଟ୍ ରିସର୍ଟ।