ଚେନ୍ନାଇ: ଚାରି ବର୍ଷର ବୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଛାଡ଼ପତ୍ର ପରେ ନାଗା ସାମନ୍ଥାଙ୍କ କେଉଁ ଗୁଣକୁ ଏବେ ବି ପସନ୍ଦ କରନ୍ତି, ତାହା ଜଣାଇଛନ୍ତି।
ଏକ ସାକ୍ଷାତକାରରେ ଅଭିନେତା ନାଗା ପୂର୍ବ ପତ୍ନୀ ସାମନ୍ଥାଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, “ସାମନ୍ଥା ବହୁତ କଠିନ ପରିଶ୍ରମୀ। ତାଙ୍କର ନିଷ୍ଠା ଆଶ୍ଚର୍ଯ୍ୟଜନକ ଅଟେ। ଯଦି ସେ କିଛି ଚାହାଁନ୍ତି, ତେବେ ସେ ତାହା ପାଇବା ପର୍ଯ୍ୟନ୍ତ ପରିଶ୍ରମ କରିଚାଲନ୍ତି। ମୋତେ ତାଙ୍କର ଫିଲ୍ମ 'ଓ ବେବି' ଏବଂ 'ଫ୍ୟାମିଲି ମ୍ୟାନ୍-୨' ବହୁତ ପସନ୍ଦ।”
ଏହା ପୂର୍ବରୁ ନାଗା କହିଥିଲେ ଯେ, “ମୋର ବ୍ୟକ୍ତିଗତ ଜୀବନ ତଥା ମୋର ବିବାହ ସହିତ ଯାହା ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ଜୀବନର ସେହି ପର୍ଯ୍ୟାୟ ପାଇଁ ମୋ ମନରେ ଅପାର ସମ୍ମାନ ଅଛି। ହେଲେ ଛାଡ଼ପତ୍ର ଯେତିକି କଷ୍ଟ ଦେଇନି, ତା’ଠାରୁ ଅଧିକ କଷ୍ଟ ଦେଇଛି ଗଣମାଧ୍ୟମରେ ମୋତେ ନେଇ ପ୍ରଚାର କରାଯାଇଥିବା ଗୁଜବ। କେବଳ ହେଡଲାଇନ୍ ପାଇଁ, ସେମାନେ ମୋର ନାମକୁ ଜଣେ ତୃତୀୟ ବ୍ୟକ୍ତିଙ୍କ ସହିତ ଲିଙ୍କ୍ କରୁଛନ୍ତି ଏବଂ ଅଧିକ କଳ୍ପନା କରୁଛନ୍ତି। ଏହା ପ୍ରକୃତରେ ମୋତେ ବହୁତ ଆଘାତ ଦେଇଛି। ସେହି ତୃତୀୟ ପକ୍ଷର କୌଣସି ଦୋଷ ନଥାଇ ମଧ୍ୟ ତାଙ୍କୁ ଏହି ସମଗ୍ର ପ୍ରସଙ୍ଗକୁ ଟଣାଯାଉଛି। ଯାହା ଘଟିବାର ଥିଲା ଘଟିଲା, ସେମାନଙ୍କୁ ଏବିଷୟରେ ଚିନ୍ତା କରିବା ଛାଡ଼ିଦେବା ଉଚିତ୍।”