ଭୁବନେଶ୍ୱର: ଅଳତା ବୋଳା ପାଦରେ ଆଞ୍ଜୁଳାଏ ଚାଉଳ ଧରି ସିଏ ଆସିବେ | ଆଉ ନମିତାଙ୍କ ଘରର କୁଳବଧୂ ସାଜିବେ | ଆମେ ଆପଣଙ୍କୁ କୌଣସି ସିନେମାର ଦୃଶ୍ୟ ବାବଦରେ କହୁନାହୁଁ | ବରଂ ଖୁବ ଶୀଘ୍ର ଏହା ବାସ୍ତବରେ ହେବାକୁ ଯାଉଛି | ଜଣେ କଣ୍ଠଶିଳ୍ପୀ ସହ ଦାୟିତ୍ୱସଂପନ୍ନ ମା ଭାବେ ନିଜ କର୍ତ୍ତବ୍ୟ ନିଭାଇଥିବାର ନମିତାଙ୍କ ପଦୋନ୍ନତି ହେବାକୁ ଯାଉଛି | ଶାଶୂ ହେବାକୁ ଯାଉଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ତଥା ଓଡ଼ିଶାର ଘରେ ଘରେ ପରିଚିତ ନମିତା ଅଗ୍ରୱାଲ | ନିଜର ଭକ୍ତିମୟ ଭଜନ ସାଙ୍ଗକୁ ରୋମାଣ୍ଟିକ ଗୀତରେ ଓଡ଼ିଆ ସଂଗୀତପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ନମିତା ଏବେ ବାସ୍ତବ ଜୀବନରେ ଶାଶୂ ହେବାକୁ ଯାଉଛନ୍ତି | ମିଳିଥିବା ସୂଚନା ମୁତାବକ ନମିତା ଅଗ୍ରୱାଲଙ୍କ ପୁଅ ତଥା ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ସିଦ୍ଧାର୍ଥ ଅଗ୍ରୱାଲଙ୍କର ବିବାହ ହେବାକୁ ଯାଉଛି |
ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି | ତମନ୍ନା ନିଜ ସୋସିଆଲ ମିଡିଆରେ ବିବାହ ପୂର୍ବର ଫଟୋସୁଟର କିଛି ଦୃଶ୍ୟ ସେୟାର କରିଛନ୍ତି । ସିଦ୍ଧାର୍ଥ ମଧ୍ୟ ନିଜ ସୋସିଆଲ ମିଡିଆରେ ପ୍ରି- ୱେଡିଂ ଭିଡିଓ ସେୟାର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ବର୍ଷ ଜାନୁଆରୀ ୧୬ ତାରିଖରେ ବିବାହ ତାରିଖ ଧାର୍ଯ୍ୟ ହୋଇଛି । ଏଥିସହ ପୁଅ ବୋହୂଙ୍କ ପାଇଁ ତିନି ତିନୋଟି ଭୋଜିର ଆୟୋଜନ କରିବାକୁ ଯାଉଛନ୍ତି ସୀତାରାମ ଅଗ୍ରୱାଲ । ବିବାହ ଅତି ଆକର୍ଷଣୀୟ ହେବ ବୋଲି ମଧ୍ୟ ଜଣାପଡିଛି । ଆଉ ଏହି ବିବାହ ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି । ତେବେ ବିବାହକୁ ନେଇ ଅଗୱାଲ ପରିବାର ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।
ଉଲ୍ଲେଖ ଥାଉ କି ତମନ୍ନା ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଅଭିନେତ୍ରୀ ହୋଇଥିବାବେଳେ ଭାଇନା କଣ କଲା ସେ, ନିଝୁମ ରାତିର ସାଥି, ପ୍ରେମ କୁମାର, ବ୍ଲାକମେଲ, ସୁପର ବୟ ଭଳି ଫିଲ୍ମରେ ଅଭିନୟ କରିଥିଲେ | ସେହିପରି ସିଦ୍ଧାର୍ଥ ଅଗ୍ରୱାଲ ଏବେ ସିଦ୍ଧାର୍ଥ ଭକ୍ତି, ସିଦ୍ଧାର୍ଥ ଗୋଲଡ଼, ସିଦ୍ଧାର୍ଥ ଟିଭି, ଜୟ ଜଗନ୍ନାଥ ଚ୍ୟାନେଲର ପରିଚାଳନା ଭାର ସମ୍ଭାଳୁଛନ୍ତି |