କେବଳ ଗୋଟିଏ ସିନେମାରେ ଦ୍ୱୈତ ଭୂମିକା କରିଥିଲେ ନମ୍ରତା

ଭୁବନେଶ୍ୱର : ଅଧିକାଂଶ ନାୟକ, ନାୟିକାଙ୍କର ଇଚ୍ଛା, ସେମାନେ କୌଣସି ଫିଲ୍ମରେ ଡବଲ ରୋଲ୍‌ କରିବେ। କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ସେଭଳି ସୁଯୋଗ ନଥାଏ। ଏମିତି କେତେକ କଳାକାର ଅଛନ୍ତି, ଯେଉଁମାନଙ୍କୁ ସିନେମାରେ ଦ୍ୱୈତ ଭୂମିକା ଲାଗି ଏକାଧିକବାର ସୌଭାଗ୍ୟ ମିଳିଛି। ଆଉ କେତେଜଣ ଥରଟିଏ ଦ୍ୱୈତ ଭୂମିକା ନିଭାଇଛନ୍ତି ପରଦାରେ।

ଓଲିଉଡର ଜଣେ ଲୋକପ୍ରିୟ ନାୟିକା ଥିଲେ ନମ୍ରତା ଥାପ୍ପା। ସେ ବ୍ରଜରାଜ ମୁଭିଜ୍‌ ନିବେଦତ ତଥା ସଞ୍ଜୟ ନାୟକଙ୍କ ପ୍ରଯୋଜିତ ଓ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବ୍ଲକକଷ୍ଟର ମୁଭି ‘ଆଇ ଲଭ୍‌ ୟୁ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏଥିରେ ନବାଗତ ନାୟକ ଅନୁଭବଙ୍କ ବିପକ୍ଷରେ ନାୟିକା ସାଜିଥିଲେ ନମ୍ରତା। ଏହାପରେ ତାଙ୍କୁ ‘ପ୍ରେମ ଋତୁ ଆସିଲାରେ’, ‘ପ୍ରିୟା ମୋ’ ପ୍ରିୟା’, ‘ମୁଁ ତତେ ଲଭ କରୁଚି’ ଆଦି ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ। ହେଲେ ଏ ସବୁ ସିନେମାରେ ତାଙ୍କୁ ଡବଲ ରୋଲ୍‌ ମିଳି ନ ଥିଲା।

୨୦୦୭ରେ ମୁକ୍ତିପ୍ରାପ୍ତ ସିନେମା ‘ରସିକ ନାଗର’ରେ ପ୍ରଥମ ଥର ଲାଗି ନମ୍ରତା ଥାପ୍ପାଙ୍କୁ ଦ୍ୱୈତ ଭୂମିକା ମିଳିଥିଲା। ଶ୍ରୀବଳଦେବଜୀଉ ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ତଥା ପ୍ରଦୀପ କୁମାର ସାହୁଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଦିଲୀପ ପଣ୍ଡା। ଏହି ଓଡ଼ିଆ ଛବି ନମ୍ରତାଙ୍କ ଦୁଇଟି ଭୂମିକା ମଧ୍ୟରୁ ଗୋଟିଏ ହେଲା ଜଣେ ଅତ୍ୟାଧୁନିକ ଯୁବତୀର ଓ ଅନ୍ୟଟି ଜଣେ ଦୃଷ୍ଟିହୀନା ଗାଉଁଲି ଯୁବତୀର। ଉଭୟ ଚରିତ୍ରକୁ ବେଶ୍‌ ନିଖୁଣତାର ସହ ନିଭାଇଥିଲେ ନମ୍ରତା। ‘ରସିକ ନାଗର’ରେ ସିଦ୍ଧାନ୍ତ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଥିଲେ ବବି ମିଶ୍ର, ରାଇମୋହନ, ଅନୀତା ଦାସ ଓ ଉତ୍ତମ ମହାନ୍ତି ପ୍ରମୁଖ। ଏହି ସିନେମାର ସଂଳାପ ଲେଖିଥିଲେ ବିଜୟ ମଲ୍ଲ।

ସମ୍ବନ୍ଧିତ ଖବର