ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ କ୍ୟାରିଅର୍ର ଏକ ମାଇଲଖୁଣ୍ଟ ଥିଲା ‘କ୍ରାନ୍ତିବୀର୍’। ୧୯୯୪ ମସିହା ଜୁଲାଇ ୨୨ ତାରିଖରେ ଏହା ରିଲିଜ୍ ହୋଇଥିଲା। ଏହାର ନିର୍ମାତା-ନିର୍ଦ୍ଦେଶକ ହେଲେ ମେହୁଲ କୁମାର।‘କ୍ରାନ୍ତିବୀର’ରେ ନାନା ପାଟେକରଙ୍କ ସହିତ ଡିଂପଲ କାପାଡିଆଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଉଚ୍ଚକୋଟିର ଅଭିନୟ ଲାଗି ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ହାସଲ କରିଥିଲେ ନାନା ପାଟେକର୍। ୧୯୯୪ର ଏକ ସୁପରହିଟ୍ ଫିଲ୍ମ ଥିଲା ‘କ୍ରାନ୍ତିବୀର୍’।
ହେଲେ ଆପଣ ଜାଣନ୍ତି କି ଏହି ସିନେମାର କ୍ଲାଇମାକ୍ସ ସିନର ସୁଟିଂ ପୂର୍ବରୁ ଅଭିନେତା ନାନା ପାଟେକର କୌଣସି ପ୍ରକାରର ପ୍ରସ୍ତୁତି କରି ନଥିଲେ।‘କ୍ରାନ୍ତିବୀର୍’ର କ୍ଲାଇମାକ୍ସ ଦୃଶ୍ୟର ସୁଟିଂର କିଛି ଦିନ ଆଗରୁ ନାନା ପାଟେକର୍ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ୍ରେ ରହିବାକୁ ପଡ଼ିଥିଲା। ସୁଟିଂ ତାରିଖ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିଲା।
ନିର୍ଦ୍ଦେଶକ ମେହୁଲ କୁମାର ଶିବାଜୀ ମଇଦାନରେ ୩ ହଜାର ଜୁନିଅର୍ ଆର୍ଟିଷ୍ଟଙ୍କୁ ଏକାଠି କରାଇଥିଲେ। ମେହୁଲ କୁମାର ହସ୍ପିଟାଲ୍ ଯାଇ ନାନାଙ୍କୁ ସାଙ୍ଗରେ ଆଣିଥିଲେ। ରାସ୍ତାରେ ସିନ୍ ସଂପର୍କରେ ବୁଝାଇ ଥିଲେ ସଂଳାପ ବି ପଢାଇଥିଲେ।ତଥାପି ଅସୁସ୍ଥତା ହେତୁ ନାନା ପାଟେକର୍ କୌଣସି ପ୍ରକାରର ପ୍ରସ୍ତୁତି କରି ପାରି ନଥିଲେ। ସେ କି ସଂଳାପ କହିବେ ଓ କି ଅଭିନୟ କରିବେ ନିଜେ ବି ଜାଣି ନଥିଲେ। ଏଣୁ ସେ ନିର୍ଦ୍ଦେଶକଙ୍କୁ ପାଂଚଟି କ୍ୟାମେରା ଲଗାଇ ସୁଟିଂ ପାଇଁ ନିର୍ଦ୍ଦେଶ ଦେଲେ। ଆଉ ସବୁଠୁଁ ମଜା କଥା ହେଉଛି ଯେ ଗୋଟିଏ ଟେକ୍ରେ ନିର୍ଦ୍ଦେଶକ ନାନା ପାଟେକରଙ୍କ ଉପରେ ଥିବା କ୍ଲାଇମାକ୍ସ ସିନ୍ ସୁଟ୍ କରିଥିଲେ।