ସେଲଫି ନେବାକୁ ଆସିଥିବା ପ୍ରଶଂସକଙ୍କୁ ଶକ୍ତଚାପୁଡ଼ା ମାରିଲେ ନାନା, ନିର୍ଦ୍ଦେଶକ ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ ଅଭିନେତା ନାନା ପାଟେକର ତାଙ୍କର ଦମଦାର ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏଥିସହିତ ନାନା ପ୍ରାୟତଃ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ବି ଲାଇମଲାଇଟକୁ ଆସିଥାଆନ୍ତି ।  ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେଲଫି ନେବାକୁ ଆସିଥିବା ଜଣେ ପ୍ରଶଂସକଙ୍କୁ ନାନା ପାଟେକର ଜୋରଦାର ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳୁଛି।

ଏହି ଘଟଣାକୁ ନେଇ ଅଭିନେତା ନାନା ପାଟେକରଙ୍କ ପ୍ରଶଂସକ ନିରାଶ ହୋଇଯାଇଛନ୍ତି। ପ୍ରତିକ୍ରିୟା ଦେଇ କହିଛନ୍ତି, ‘ନାନା ଆପଣଙ୍କ ଠାରୁ ଏଭଳି ଆଶା ନଥିଲା।’

ତେବେ ଏହି ଭିଡିଓକୁ ନେଇ ସିନେମା ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି, ‘ଏଥିରେ ନାନାଙ୍କ କୌଣସି ଭୁଲ ନାହିଁ। ଆପଣମାନେ ଅଯଥାରେ ତାଙ୍କୁ ଟ୍ରୋଲ କରୁଛନ୍ତି। ସେ ପ୍ରଶଂସକଙ୍କୁ ଯେଉଁ ଚାପୁଡ଼ା ମାରୁଛନ୍ତି ତାହା ବାସ୍ତବ ନୁ‌ହେଁ। ତାହା ଥିଲା ସିନେମାର ଏକ ସଟ। ଯେହେତୁ ରାସ୍ତା ମଝିରେ ଲୋକଙ୍କ ଭିଡ଼ ଭିତରେ ଏହି ସିଟଟି ସୁଟିଂ ହେଉଥିଲା। କିଛିଲୋକ ଏହାର ଭିଡିଓ କରି ଭିନ୍ନ ରୂପ ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।’

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ନାନା ପାଟେକର ବନାରସରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜର୍ନୀ’ ପାଇଁ ସୁଟିଂ କରୁଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି ଫଟୋ ଉଠାଇବାକୁ ଅନୁରୋଧ କରୁଛନ୍ତି ।  ନାନା ପାଟେକର ତାଙ୍କ ସହିତ ଫଟୋ ଉଠାଇବା ବଦଳରେ ରାଗିଯାଇ ତାଙ୍କୁ ଏକ ଜୋରଦାର ଚାପୁଡ଼ା ମାରିଥିଲେ । ଆଉ ଉକ୍ତ ବ୍ୟକ୍ତିଙ୍କୁ ଚାପୁଡ଼ା ମାରି ସେଟରୁ ବାହାର କରିଦେଇଥିଲେ ।

ସମ୍ବନ୍ଧିତ ଖବର