ଭୁବନେଶ୍ବର: ଆଜି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାରେ କ୍ଷୁଦ୍ର ଚଳଚ୍ଚିତ୍ରର ସ୍ବତନ୍ତ୍ର ସୂଚିତ (ନନ୍ ଫିଚର ସ୍ପେଶାଲ ମେନସନ) ଶ୍ରେଣୀରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ୍’କୁ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଚଳଚ୍ଚିତ୍ରକୁ ଶ୍ୱେତ କୁମାର ଦାଶ ନିର୍ଦ୍ଦେଶନା ଦେଇଛନ୍ତି। ଶ୍ରୀ ଦାଶ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ବିଡିଏରେ ଯୁଗ୍ମ କମିସନର ଭାବେ କାର୍ଯ୍ୟରତ। ଜାତୀୟ ପୁରସ୍କାର ଘୋଷଣା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।  ବିଡିଏ କର୍ମଚାରୀମାନେ ଶ୍ରୀ ଦାଶଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ଗଞ୍ଜାମରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲା ସମୟରେ ଶ୍ରୀ ଦାଶ କରୋନା ମୁକାବିଲା କାର୍ଯ୍ୟ ଅତି ଦକ୍ଷତାରେ ସହ କରି ମୁଖ୍ୟ ଶାସନ ସଚିବଙ୍କଠାରୁ ପ୍ରଶଂସା ସାଉଣ୍ଟିଥିଲେ।

Advertisment

କୋଭିଡ ସମୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କରେ ଏକ ଚିନ୍ତାଧାରାକୁ ଭିତ୍ତି କରି ‘ଦ ହିଲିଂ ଟଚ୍’ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି।  ଜଣେ ସ୍ବାମୀ କରୋନା ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଆଇସିୟୁ ବେଡ୍‌ରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରି ଶେଷରେ ଭଗବାନଙ୍କ ନିକଟରେ ହାତ ଟେକି ଦିଅନ୍ତି। ମାତ୍ର କରୋନାରେ ଆକ୍ରାନ୍ତ ଡାକ୍ତରଙ୍କ ମୋବାଇଲ ମାଗି ଶେଷ ଥର ପାଇଁ ତାଙ୍କ ସ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବାକୁ ରୋଗୀ ଜଣକ ଅନୁରୋଧ କରନ୍ତି। ଡାକ୍ତର ମଧ୍ୟ ନିଜ ମୋବାଇଲ ଦେଇ ଏହାକୁ ଅନୁଧ୍ୟାନ କରନ୍ତି। ସେହି କିଛି ସମୟ କିଭଳି ସ୍ବାମୀ-ସ୍ତ୍ରୀଙ୍କ ବାର୍ତ୍ତାଳାପ ସ୍ବାମୀଙ୍କୁ କରୋନାର ସହ ଲଢ଼େଇର ସାହସ ଯୋଗାଇଛି, ରୋଗୀକୁ ମାନସିକ ସ୍ତରରେ ଶକ୍ତି ସାମର୍ଥ୍ୟ ଓ ସକାରାମତ୍କ ଚିନ୍ତାଧାରା ଜୁଟାଇ ଦେଇଛି ଏବଂ ଏସବୁ କିପରି ରୋଗୀକୁ ବଞ୍ଚାଇ ପାରିଛି; ତାହା ହିଁ ଏହି ଚଳଚ୍ଚିତ୍ରର କାହାଣୀ।  ଏହି କ୍ଷୁଦ୍ର ଚଳଚ୍ଚିତ୍ର ନୀଳ ମହାପାତ୍ରଙ୍କ ସୋସିଆଲ ଇମେଜ୍ ବ୍ୟାନରେ ନିର୍ମିତ ହୋଇଥିବା ବେଳେ ଶ୍ୱେତ କୁମାର ଦାଶ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଗାର୍ଗୀ ମହାନ୍ତି ଓ ଗଜେନ୍ଦ୍ର ପାଢ଼ୀଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଥିବା ବେଳେ କୁନାଲ ଅମ୍ବିକେଶ ହୋତାଙ୍କ ଡିଓପି ସହାୟତାରେ ନିର୍ମିତ ହୋଇଛି। ଶ୍ରୀ ଦାଶ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’, ‘ସନ୍ନି’ ଭଳି ଚଳଚ୍ଚିତ୍ର ନିର୍ମାଣ କରି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସହିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।