ନୂଆଦିଲ୍ଲୀ: ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ନୌସିନ ଅଲି ସର୍ଦ୍ଦାର ସିରିଏଲ 'ବସୁଧା' ଜରିଆରେ ଛୋଟ ପରଦାକୁ ଫେରିଥିଲେ। ନୌସିନ ଅଲି ସର୍ଦ୍ଦାର ତାଙ୍କ ଅଭିନୟ ସହିତ ଲୋକଙ୍କ ମଧ୍ୟରେ ଏକ ଅଦ୍ଭୁତ ପରିଚୟ ସୃଷ୍ଟି କରି ପାରିଛନ୍ତି। କିନ୍ତୁ କିଛିଦିନ ତଳେ ନୈସିନ ଅଲି ସର୍ଦ୍ଦାରଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଥିଲା। କାରଣ ତାଙ୍କ ବଡ଼ ଭାଇଙ୍କର ସେପ୍ଟେମ୍ବର ୧୬ରେ ମୃତ୍ୟୁ ହୋଇଯାଇଥିଲା। ଦୁଃଖର ବିଷୟ ଶେଷ ମୁହୂର୍ତ୍ତରେ ସେ ତାଙ୍କ ଭାଇଙ୍କ ସହ ରହିପାରି ନଥିଲେ। କାରଣ ସେଟରେ ଥିବା ନିୟମ ଏବଂ ନିୟମାବଳୀ ହେତୁ ଭାଇର ଶେଷ ସମୟରେ ଘରେ ପହଞ୍ଚି ପାରି ନଥିଲେ ନୌସିନ।
ପ୍ରକାଶିତ ରିପୋର୍ଟ ମୁତାବକ, ‘ନୋ ଫୋନ ପଲିସି' ହେତୁ ନୌସିନ ଅଲି ସର୍ଦ୍ଦାଙ୍କୁ ତାଙ୍କ ଭାଇମୃତ୍ୟୁର ଦୁଇଘଣ୍ଟା ପରେ ଏହି ଦୁଃଖଦ ଘଟଣା ବିଷୟରେ ଖବର ମିଳିଥିଲା। ଖବର ପାଇବା ପରେ ତୁରନ୍ତ ଅଭିନେତ୍ରୀ ଭାଇଙ୍କ ନିକଟରେ ପହଞ୍ଚିଥିଲେ। ଶେଷ ସମୟରେ ଭାଇଙ୍କୁ ଭେଟି ନପାରିଥିବାରୁ ନୌସିନ ଖବୁ ଦୁଃଖୀତ। ଏହି ଦୁଃଖରୁ ସେ ମଲା ଯାଏଁ ବାହାରି ପରିବେ ନାହିଁ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି। ଭାଇର ମୃତ୍ୟୁପରେ ତାଙ୍କ ମା’ ଓ ଭାଉଜ ଭାଙ୍ଗି ପଡ଼ିଛନ୍ତି।
ନୌସିନ ଏହି ଦୁଃଖଦ ଘଟଣାକୁ ନେଇ କହିଛନ୍ତି, ‘ଯେତେ ଚେଷ୍ଟା କଲେ ବି ଭାଇକୁ ଆଉ ଫେରି ପାଇବି ନାହିଁ। କିନ୍ତୁ ଘରେ ଥିବା ମୋ ବୁଢ଼ି ମା’ ଓ ସ୍ବାମୀକୁ ହରାଇ ଭାଙ୍ଗି ପଡ଼ିଥିବା ଭାଉଜ ପାଖରେ ରହି ତାଙ୍କ ସେବା ତ କରି ପାରିବି। ତେଣୁ ମୁଁ ସମସ୍ତ କାମକୁ ପଛରେ ପକାଇ ଏଦୁହିଁଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଉଛି। କାରଣ ଏହି କାମ ପାଇଁ ଶେଷ ସମୟରେ ମୋ ଭାଇକୁ ଦେଖି ପାରି ନଥିଲି।’