ଏହି କାରଣ ପାଇଁ ଓଟିଟି ପ୍ଲାଟଫର୍ମ ଛାଡିବାକୁ ନିଷ୍ପତ୍ତି ନେଲେ ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି

ମୁମ୍ବାଇ: ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଆପଣ ଭଲ ଭାବେ ଜାଣିଥିବେ । ନିଜର ଦମଦାର ଅଭିନୟ ପାଇଁ ସେ ଏବେ ଲୋକଙ୍କ ପ୍ରିୟ ଅଭିନେତା ହୋଇପାରିଛନ୍ତି । ଓଟିଟି ପ୍ଲାଟଫର୍ମ ହେଉ ଅବା ବଲିଉଡ୍ ଫିଲ୍ମ, ସବୁଥିରେ ତାଙ୍କର ଅଭିନୟର ଜଲୱା ଦେଖିବାକୁ ପାଇଥାନ୍ତି ଦର୍ଶକ । ହେଲେ ଏବେ ନୱାଜୁଦ୍ଦିନଙ୍କ ନେଇ ଆସିଛି ଏକ ବଡ ଖବର ।

ଓଟିଟି ପ୍ଲାଟଫର୍ମକୁ ଛାଡ଼ିବା ପାଇଁ ଏହି ଲୋକପ୍ରିୟ ବଲିଉଡ୍ କଳାକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଦିନେ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହୋଇଥିବା ୱେବ ସିରିଜ୍ ‘ସେକ୍ରେଡ୍ ଗେମ୍ସ’ ଯୋଗୁ ପ୍ରଂଶସା ସାଉଁଟିଥିବା ଏହି ଅଭିନେତାଜଣକ ଏବେ ସେହି ଓଟିଟି ପ୍ଲାଟଫର୍ମରୁ ବିଦାୟ ନେବା କଥା କହିଛନ୍ତି । ତେବେ ଏହା ପଛରେ ଏକ ବଡ କାରଣ ଥିବା ମଧ୍ୟ ସେ କହିଛନ୍ତି ।

ନୱାଜୁଦ୍ଦିନଙ୍କ କହିବା କଥା ହେଲା, ଓଟିଟି ପ୍ଲାଟଫର୍ମ ଏବେ ବଡ ବଡ ପ୍ରଡକ୍ସନ ହାଉସ ପାଇଁ ନିଜ ବ୍ୟବସାୟ ବଢ଼ାଇବାର ମାଧ୍ୟମ ହୋଇଗଲାଣି । ଏହା ସାହାଯ୍ୟରେ ଅନେକ ଅନାବଶ୍ୟକ ସୋ ଏବେ ନିର୍ମାଣ ହେଉଛି । ତେବେ ଗୋଟିଏ ଫିଲ୍ମ ବା ସିରିଜ୍ ପାଇଁ ଲେଖା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି, ଯାହାକି ଏବେ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳୁନି ବୋଲି ନବାଜ୍ କହିଛନ୍ତି । ଅନ୍ୟପଟେ ସେ ଯେତେବେଳେ ପ୍ରଥମ କରି ଓଟିଟି ପ୍ଲାଟଫର୍ମରେ ପ୍ରବେଶ କଲେ ସେତେବେଳେ ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଥିଲା । ସେତେବେଳେ ଗୋଟିଏ ଫିଲ୍ମ କିମ୍ବା ସିରିଜର ସ୍କ୍ରିପ୍ଟ ପ୍ରତି ଅଧିକ ଧ୍ୟାନ ଦିଆଯାଉଥିଲା । ହେଲେ ଏବେ କିନ୍ତୁ ସେପରି ହେଉନାହିଁ । ଯେଉଁ କାରଣରୁ ସେ ଓଟିଟି ପ୍ଲାଟଫର୍ମରୁ ବିଦାୟ ନେବେ ବୋଲି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା କାଳରେ ଏବେ ଓଟିଟି ପ୍ଲାଟଫର୍ମରେ ଅନେକ ଟିଭି ସୋ’ ଓ ଫିଲ୍ମ ରିଲିଜ୍ ହୋଇଛି । ଏହା ସାହାଯ୍ୟରେ ଲୋକମାନେ ଘରେ ବସି ନିଜର ମନ ପସନ୍ଦର ସିରିଜ୍ କିମ୍ବା ଫିଲ୍ମ ଦେଖିପାରୁଛନ୍ତି । ହେଲେ ଏହାଦ୍ୱାରା ସିନେମା ହଲରେ ଲୋକଙ୍କ ସଂଖ୍ୟା କମିବାକୁ ଲାଗିଲାଣି , ଯାହାକି ଚିନ୍ତାର ବିଷୟ । ଏପରି ସମୟରେ ନୱାଜୁଦ୍ଦିନଙ୍କ ଏହି ନିଷ୍ପତ୍ତିକୁ କିଛି ଲୋକ ସ୍ୱାଗତ କରିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର