ଫିଲ୍ମ ଲୋକଙ୍କୁ ଯୋଡ଼ିବା ପାଇଁ ନିର୍ମାଣ ହେବା ଉଚିତ; ଏଭଳି କହି ‘ଦି କେରଳ ଷ୍ଟୋରୀ’କୁ ଟାର୍ଗେଟ କଲେ ନୱାଜୁଦ୍ଦିନ

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ରିଲିଜର ୧୮ଦିନରେ ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇଛି। ଏବେ ଚଳିତ ବର୍ଷର ଦ୍ବିତୀୟ ବଡ଼ ବଲିଉଡ ଫିଲ୍ମ ପାଲଟିଛି ‘ଦି କେରଳ ଷ୍ଟୋରୀ’। ଏତେ କମ ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମଟି ଏତେ ସଫଳ ହେବ ‌ବୋଲି କେହି ଆଶା ରଖିନଥିବା ବେଳେ ଫିଲ୍ମଟି କମାଲ କରିଛି। ଏତେ ସଫଳତା ମିଳିବା ପରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଫିଲ୍ମ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି କୌଣସି ଚଳଚ୍ଚିତ୍ର କିମ୍ବା ଉପନ୍ୟାସ କାହାକୁ ଆଘାତ ଦେଉଛି, ତେବେ ଏହା ଭୁଲ ଅଟେ। ଦର୍ଶକ କିମ୍ବା ସେମାନଙ୍କ ଭାବନାକୁ ଆଘାତ ଦେବା ପାଇଁ ଆମେ ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ୍ ନୁହେଁ। ଯେକୌଣସି ଚଳଚ୍ଚିତ୍ର ଲୋକଙ୍କୁ ଏକତ୍ର କରିବା ପାଇଁ ନିର୍ମାଣ ହେବା ଉଚିତ, ସେମାନଙ୍କୁ ବିଭାଜନ କରିବା ପାଇଁ ନୁହେଁ। ଏହି ଦୁନିଆରେ କୌଣସି ଜିନିଷକୁ ନିଷେଧ କରିବା ଉଚିତ୍ ନୁହେଁ । କିନ୍ତୁ ଯଦି କୌଣସି ଚଳଚ୍ଚିତ୍ରରେ ଲୋକ ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାର ଶକ୍ତି ଥାଏ, ତେବେ ଏହାକୁ ବନ୍ଦ କରାଯିବା ଉଚିତ୍।

ତେବେ ଫିଲ୍ମକୁ ରିଲିଜ୍ ପୂର୍ବରୁ ବିରୋଧ କରାଯାଉଥିଲେ ବି ଏବେ ଏହାକୁ ପସନ୍ଦ କରୁଛନ୍ତି ଦର୍ଶକ। ଦିନକୁ ଦିନ ଫିଲ୍ମର ଆୟ ବଢ଼ୁଥିବା ବେଳେ ଆଗକୁ ଫିଲ୍ମଟି ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର