ଭାରତୀୟ କଳାକାର କେବଳ ରେଡ କାର୍ପେଟରେ ଚାଲିବା ପାଇଁ କାନ୍ସ ଯାଉଛନ୍ତି, ମୁଁ ତାହା କରେ ନାହିଁ: ନୱାଜୁଦ୍ଦିନ

ମୁମ୍ବାଇ: ନୱାଜୁଦ୍ଦିନ ସିଦ୍ଦିକି ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଜଣେ ମହାନ ଅଭିନେତା ଏବଂ ପ୍ରତି ଫିଲ୍ମରେ ନିଜର ଭିନ୍ନ ଭିନ୍ନ ଚରିତ୍ର ପାଇଁ ଜଣଶୁଣା। ନିକଟରେ ଅଭିନେତାଙ୍କ ଫିଲ୍ମ ଜୋଗିରା ସାରା ରା ରା ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା ​। ହେଲେ ଯୋଗୀରା ସାରା ରା ରା ବକ୍ସ ଅଫିସରେ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇପାରିନଥିଲା। ତେବେ ଗତ କିଛି ଦିନ ହେଲା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦରେ ଥିବା ଅଭିନେତା ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ କଳାକାର ଯିବା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ନିକଟରେ ନୱାଜ କହିଥିଲେ ଯେ ସଠିକ୍ କାରଣ ପାଇଁ ଭାରତୀୟମାନେ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଯାଉନାହାଁନ୍ତି। ମୁଁ ଅନେକ ଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଛି, କିନ୍ତୁ କେବଳ ଫିଲ୍ମ ପାଇଁ। ଯେତେବେଳେ ମୋର କୌଣସି ଫିଲ୍ମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୁଏ, ମୁଁ ସେଠାକୁ ଯାଏ। ହେଲେ ଏବେ ଭାରତୀୟ କଳାକାରମାନେ କେବଳ ରେଡ କାର୍ପେଟ ଚାଲିବା ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଯାଉଛନ୍ତି।

ଏହା ପୂର୍ବରୁ ଫିଲ୍ମ ଦି କେରଳ ଷ୍ଟୋରୀକୁ ନେଇ ବୟାନ ଦେଇ ବିବାଦୀୟ ହୋଇଥିଲେ ନୱାଜ୍। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଯଦି କୌଣସି ଚଳଚ୍ଚିତ୍ର କିମ୍ବା ଉପନ୍ୟାସ କାହାକୁ ଆଘାତ ଦେଉଛି, ତେବେ ଏହା ଭୁଲ ଅଟେ। ଦର୍ଶକ କିମ୍ବା ସେମାନଙ୍କ ଭାବନାକୁ ଆଘାତ ଦେବା ପାଇଁ ଆମେ ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ୍ ନୁହେଁ। ଯେକୌଣସି ଚଳଚ୍ଚିତ୍ର ଲୋକଙ୍କୁ ଏକତ୍ର କରିବା ପାଇଁ ନିର୍ମାଣ ହେବା ଉଚିତ, ସେମାନଙ୍କୁ ବିଭାଜନ କରିବା ପାଇଁ ନୁହେଁ। ଏହି ଦୁନିଆରେ କୌଣସି ଜିନିଷକୁ ନିଷେଧ କରିବା ଉଚିତ୍ ନୁହେଁ । କିନ୍ତୁ ଯଦି କୌଣସି ଚଳଚ୍ଚିତ୍ରରେ ଲୋକ ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାର ଶକ୍ତି ଥାଏ, ତେବେ ଏହାକୁ ବନ୍ଦ କରାଯିବା ଉଚିତ୍।

ସମ୍ବନ୍ଧିତ ଖବର