ନୱାଜ ଉଦ୍ଦିନ ସିଦ୍ଧିକ୍‌ଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇଲେ ପତ୍ନୀ ଆଲିଆ

ମୁମ୍ବାଇ: ବଲିଉଡ୍‌ ତାରକା ନୱାଜଉଦ୍ଦିନ ସିଦ୍ଧିକଙ୍କଠାରୁ ଛାଡ଼ପତ୍ର ଚାହିଁଛନ୍ତି ତାଙ୍କ ପତ୍ନୀ ଆଲିଆ। ନୱାଜ୍‌ ଉଦ୍ଦିନ୍‌ ସିଦ୍ଧିକ୍‌ଙ୍କ ବିରୋଧରେ କିଛି ଗୁରୁତର ଆରୋପ ଲଗାଇ ପତ୍ନୀ ଆଲିଆ ତାଙ୍କୁ ଏକ ନୋଟିସ୍‌ ପଠାଇ ତାଙ୍କଠାରୁ ଭରଣାପୋଷଣ ଦାବି କରିଛନ୍ତି।

ଆଲିଆଙ୍କ ଓକିଲ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଲକ୍‌ଡାଉନ୍‌ ହେତୁ ଡାକ ସେବା ବନ୍ଦ ଥିବା କାରଣରୁ ନୱାଜ ଉଦ୍ଦିନଙ୍କ ନିକଟକୁ ମେଲ୍‌ ଓ ହ୍ବାଟ୍‌ସ୍ଆପ୍‌ ଜରିଆରେ ନୋଟିସ୍‌ ପଠାଇ ଦିଆଯାଇଛି। ମାତ୍ର ସେ ପଠାଯାଇଥିବା ନୋଟିସ୍‌ର ଏଯାବତ୍‌ କୌଣସି ଉତ୍ତର ଦେଇନାହାନ୍ତି।


Deccan Chronicle

ଚଳିତମାସ ୭ ତାରିଖରେ ଆଲିଆ ସିଦ୍ଧିକ୍‌ଙ୍କ ପକ୍ଷରୁ ନୱାଜଙ୍କ ନିକଟକୁ ଛାଡ଼ପତ୍ର ନୋଟିସ୍‌ ପଠାଯାଇଛି। ଦୀର୍ଘ ଦିନ ହେବ ସେମାନଙ୍କ ସଂପର୍କରେ ଫାଟ ଉପଜିବା ପରେ ଶେଷରେ ସ୍ବାମୀଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ଆଲିଆ। ଏପରିକି ଦୁଇ ମାସ ପୂର୍ବରୁ ସେ ନିଜ ନାମ ବଦଳାଇ ଅଞ୍ଜନା ଆନନ୍ଦ କିଶୋର ପାଣ୍ଡେ କରି ଦେଇଛନ୍ତି। ସେ ଏବେ ଅଞ୍ଜଳୀ ଭାବେ ପରିଚିତ।

୨୦୦୯ ମସିହାରେ ପରସ୍ପରଙ୍କୁ ବିବାହ କରିଥିଲେ ଏହି ଦମ୍ପତି। ବିବାହ ବର୍ଷକ ପରେ ୨୦୧୦ ମସିହାରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ମନୋମାଳିନ୍ୟ ହୋଇ ଆସୁଥିଲା। ଆଲିଆଙ୍କ କହିବା ଅନୁସାରେ ଦୀର୍ଘ ଦିନ ହେବ ସେମାନଙ୍କ ସଂପର୍କରେ ଅସୁବିଧା ହୋଇ ଆସୁଥିଲା। ସୀମା ଅତିକ୍ରାନ୍ତ କରିବାରୁ ସେ ଛାଡ଼ପତ୍ର ଚାହାନ୍ତି। ଉଲ୍ଲେଖଯୋଗ୍ୟ, ୧୦ ବର୍ଷ ହେବ ବିବାହ କରିଥିବା ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି।

 

ସମ୍ବନ୍ଧିତ ଖବର