ମୁମ୍ବାଇ: ଭାରତର ସବୁଠୁ ବଡ ତଥା ଲୋକପ୍ରିୟ କୁକିଂ ରିଆଲିଟି ସୋ’ ମାଷ୍ଟରସେଫ୍ ଇଣ୍ଡିଆ -୭ ଶେଷ ହୋଇଛି। କିଛି ମାସର ପ୍ରତିଯୋଗିତା ପରେ ଭାରତକୁ ମିଳିଛି ୭ନଂ ମାଷ୍ଟରସେଫ୍। ସିଜିନ୍-୭ରେ ନିଜର କମାଲ ଦେଖାଇ ଟ୍ରଫି ଜିତିଛନ୍ତି ଆସାମର ନୟନଜ୍ୟୋତି ସାଇକିଆ। ସପ୍ତାହେ ଧରି ଅନେକ କଷ୍ଟଦାୟକ ଚ୍ୟାଲେଞ୍ଜ ସାମ୍ନା କରିବା ପରେ ନୟନଜ୍ୟୋତି ବର୍ତ୍ତମାନ ମାଷ୍ଟରସେଫ୍ ଇଣ୍ଡିଆର ବିଜେତା ହୋଇଛନ୍ତି। ଏନେଇ ତାଙ୍କୁ ଏକ ଟ୍ରଫି ସହ ୨୫ଲକ୍ଷ ଟଙ୍କା ମିଳିଛି।

Advertisment

ସୋ’ ଜିତିବା ପରେ ନୟନଜ୍ୟୋତି ସାଇକିଆ ପିଙ୍କଭିଲ୍ଲାକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ମୁଁ ମାଷ୍ଟରସେଫ ଇଣ୍ଡିଆରେ ଭାଗ ନେଇ ପାରିବି ବୋଲି କେବେ ଭାବି ନଥିଲି। ମୁଁ ଏବେ ବି ବିଶ୍ବାସ କରିପାରୁ ନାହିଁ ଯେ ମୁଁ ମାଷ୍ଟରସେଫ୍ ଇଣ୍ଡିଆର ରୋଷେଇ ଘରେ ଏତେ ସପ୍ତାହ ବିତାଇଛି। ପରିଶେଷରେ ମୁଁ ଏହି ସୋ’ ଜିତିବାରେ ସଫଳ ହୋଇଛି। ସୋ’ରେ ଭାଗ ନେବା ମୋର ସ୍ୱପ୍ନ ଥିଲା। ହେଲେ ଏବେ ମୁଁ ଏଥିରେ ଭାଗ ନେଇ ଏହି ସୋ’କୁ ଜିତିଛି। ଏହା ଏକ ସ୍ୱପ୍ନ ସାକାର ହେବା ପରି।

ତେବେ ନୟନଜ୍ୟୋତି ବିଜୟୀ ହୋଇଥିବା ବେଳେ ଆସାମର ସନ୍ତା ସରମାହ ସୋ’ର ପ୍ରଥମ ରନର୍ ଅପ୍ ଏବଂ ମୁମ୍ବାଇର ସୁବର୍ଣ୍ଣା ବାଗୁଲ୍ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି। ଉଭୟ ରନର୍ସଅପଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏହି ବର୍ଷ ମାଷ୍ଟରସେଫ୍ ଇଣ୍ଡିଆର ବିଚାରକ ଦାୟିତ୍ବ ତୁଲାଇଥିଲେ ଷ୍ଟାର ସେଫ୍ ରଣବୀର ବ୍ରାର, ବିକାଶ ଖନ୍ନା ଏବଂ ଗରିମା ଆରୋରା। ସୋ’ର ଗ୍ରାଣ୍ଡ ଫାଇନାଲରେ ନଜର ଆସିଥିଲେ ଲୋକପ୍ରିୟ ସେଫ୍ ସଞ୍ଜୀବ କପୁର।