ପ୍ରେମରେ ଧୋକା ଖାଇ ନିରବିଯାଇନାହାନ୍ତି ନୟନତାରା, ଏବେ ବଲିଉଡରେ…

ତାମିଲ ସିନେମାର ମହାନାୟିକା ଭାବେ ପରିଚିତା ଡାଏନା ମେରିଅମ୍‌ କୁରିଆନ୍‌ ଓରଫ ନୟନତାରା ହେଉଛନ୍ତି ଏଭଳି ଜଣେ ଅଭିନେତ୍ରୀ ଯାହାଙ୍କୁ ପ୍ରତାରଣା ହତାଶ କରିପାରିନି। ଦକ୍ଷିଣ ଭାରତର ବିଭିନ୍ନ ଭାଷାରେ ୭୫ରୁ ଅଧିକ ଚଳଚ୍ଚିତ୍ରରେ ନାୟିକା ସାଜି ସେ ଅନେକ ଖ୍ୟାତି ଅର୍ଜନ କରିପାରିଛନ୍ତି। କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ଏକ ମାଲାୟଲୀ ଖ୍ରୀଷ୍ଟିଆନ ପରିବାରରେ ଜନ୍ମିତା ଡାଏନାଙ୍କ ପିତା ଜଣେ ବାୟୁସେନା ଅଧିକାରୀ ହୋଇଥିବାରୁ ତାଙ୍କର ବାଲ୍ୟ ଏବଂ କୈଶୋରାବସ୍ଥା ଭାରତର ବିଭିନ୍ନ ସ୍ଥାନରେ ବିତିଥିଲା। ଜୀବନରେ କିଛି ଦୁଃସାହସିକତା କରି ଦେଖାଇବାର ସଂକଳ୍ପ ରଖିଥିବା ଡାଏନା ଇଂରାଜୀ ସାହିତ୍ୟରେ ସ୍ନାତକ ଡିଗ୍ରି ହାସଲ କରିବା ଭିତରେ ବିଭିନ୍ନ ବିଜ୍ଞାପନରେ ମଡେଲିଂ କରିବା ଆରମ୍ଭ କରିଦେଇଥିଲେ।

ତାଙ୍କର ଏପରି ନିର୍ଭୀକ ମନୋଭାବକୁ ଅନେକ ପସନ୍ଦ କରିଥିଲେ। ଫଳସ୍ବରୂପ, ୨୦୦୩ରେ ମାଲାୟଲୀ ସିନେମା ‘ମନସିନ୍ନାକ୍କାରେ’ରେ ତାଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ର ମିଳିଥିଲା। ଫିଲ୍ମଟି ଏଭଳି ବ୍ୟାବସାୟିକ ସଫଳତା ହାସଲ କଲା ଯେ, ସେ ବିନା ବାଧାରେ ପରବର୍ତ୍ତୀ ଦୁଇଟି ସିନେମାରେ ସୁଯୋଗ ପାଇଥିଲେ। ସେହିପରି ୨୦୦୫ରେ ତାମିଲ ଫିଲ୍ମ ‘ଆୟା’ ଓ ୨୦୦୬ରେ ତେଲୁଗୁ ଫିଲ୍ମ ‘ଲକ୍ଷ୍ମୀ’ରେ ମଧ୍ୟ ପ୍ରଥମ ପ୍ରବେଶ କରି ସେ ଅନୁରୂପ ଲୋକପ୍ରିୟତା ପାଇଥିଲେ। ଏଥି ସହିତ ୨୦୧୦ରେ ‘ସୁପର’ ଚଳଚ୍ଚିତ୍ର ମାଧ୍ୟମରେ କନ୍ନଡ଼ ରାଇଜକୁ ପ୍ରବେଶ କରି ମଧ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲେ।

ଏହି ଅବସରରେ ତାମିଲ ଅଭିନେତା ଶିଳାମ୍ବରସନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଏ ସମ୍ପର୍କରେ ନକାରାତ୍ମକ ଚର୍ଚ୍ଚା ହେବା ପରେ ତାଙ୍କ ପହିଲି ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହା ପରେ ଅଭିନେତା ପ୍ରଭୁ ଦେବାଙ୍କ ସହ ସେ ଅଧିକ କିଛି ବାଟ ଆଗେଇ ଯାଇଥିଲେ। ଏପରିକି ସେ ପ୍ରଭୁଙ୍କୁ ବିବାହ କରିବା ଲାଗି ଖ୍ରୀଷ୍ଟଧର୍ମ ପରିତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଏବଂ ଡାଏନାରୁ ନୟନତାରା ଭାବେ ପରିଚିତ ହୋଇଥିଲେ। ଏପରିକି ବିବାହ ପରେ ସେ ଅଭିନୟ ଛାଡ଼ିଦେବେ ବୋଲି ମଧ୍ୟ କଥା ଦେଇଥିଲେ। ମାତ୍ର ପ୍ରଭୁ ଦେବାଙ୍କ ପ୍ରଥମ ପତ୍ନୀଙ୍କ ବିରୋଧ ଯୋଗୁଁ ସେମାନଙ୍କ ବିବାହ ଭାଙ୍ଗିଯାଇଥିଲା। ଇତି ଅବସରରେ ପୌରାଣିକ ତେଲୁଗୁ ଫିଲ୍ମ ‘ଶ୍ରୀରାମ ରାଜ୍ୟମ୍‌’ରେ ସୀତା ଭୂମିକା ପାଇଁ ନୟନତାରାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ସମ୍ମାନ ମିଳିଥିଲା।

ଏହା ତାଙ୍କର ଶେଷ ସିନେମା ବୋଲି ସର୍ବତ୍ର ଚର୍ଚ୍ଚା ହୋଇଥିଲା। ଏଥି ସହିତ ପ୍ରେମରେ ଧୋକା ଖାଇ ସେ ନିରବିଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ୧୧ ମାସର ନିରବତା ପରେ ସେ ପୁଣି ସକ୍ରିୟ ହୋଇ ପଡ଼ିଥିଲେ ଏବଂ ୨୦୧୩ରେ ତାମିଲ ଫିଲ୍ମ ‘ରାଜାରାଣୀ’ ପାଇଁ ଓ ୨୦୧୬ରେ ମାଲାୟଲୀ ସିନେମା ‘ପୁତିୟା ନିୟମମ୍‌’ ପାଇଁ ମଧ୍ୟ ଫିଲ୍ମଫେୟାର ସମ୍ମାନ ପାଇଥିଲେ। ଚଳିତବର୍ଷ ତାମିଲ ଫିଲ୍ମ ‘କାଥୁବାକୁଳ ରେଣ୍ଡୁ କଧାଲ’ ଓ ‘ଓ୨’ରେ ନୟନତାରାଙ୍କ ଯାଦୁ ଦେଖିବାକୁ ମିଳିଛି। ଆଗକୁ ତାଙ୍କ ଅଭିନୀତ ମାଲାୟଲୀ ଫିଲ୍ମ ‘ଗୋଲ୍‌ଡ’ ଓ ତେଲୁଗୁ ଫିଲ୍ମ ‘ଗଡଫାଦର’ ମୁକ୍ତିଲାଭ କରିବାକୁ ଥିବା ବେଳେ ଶାହରୁଖ ଖାଁଙ୍କ ସହ ହିନ୍ଦୀ ଫିଲ୍ମ ‘ଯବାନ’ରେ ମଧ୍ୟ ନୟନତାରାଙ୍କ ପ୍ରଥମ ପଦାର୍ପଣ ଘଟିବ।

ସମ୍ବନ୍ଧିତ ଖବର