ନୂଆଦିଲ୍ଲୀ: ବିବାହର ୪ମାସ ପରେ ମାତାପିତା ହୋଇଥିଲେ ସାଉଥ ସୁପରଷ୍ଟାର ନୟନତାରା ଓ ନିର୍ଦ୍ଦେଶକ ବିଗ୍ନେଶ ଶିବାନ। ଗତ ବର୍ଷ ଜୁନ ମାସରେ ନୟନତାରା, ନିର୍ଦ୍ଦେଶକ ବିଗ୍ନେଶ ଶିବାନଙ୍କୁ ବିବାହ କରିଥିଲେ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବରଣ କରିଥିଲେ। ବିବାହର ଚାରି ମାସ ପରେ ଅକ୍ଟୋବର ୯‌ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ବିଗ୍ନେଶ।

Advertisment

ଏବେ ଯମଜ ପୁତ୍ର ସନ୍ତାନଙ୍କ ମା’ ହେବା ପରେ ନୟନତାରା ଅଭିନୟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଅଭିନୟ ଛାଡ଼ି ସେ ନିଜ ଦୁଇ ପୁଅଙ୍କୁ ସମୟ ଦେବାକୁ ଚାହୁଁଥିବା କୁହାଯାଉଛି। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅଭିନେତ୍ରୀ ତାଙ୍କ ପିଲାଙ୍କ ଲାଳନପାଳନ କରିବା ଉପରେ ଧ୍ୟାନ ଦେବା ସହ ସ୍ୱାମୀ ବିଗ୍ନେଶଙ୍କ ପ୍ରଡକ୍ସନ୍ ହାଉସ୍ 'ରାଉଡି ପିକ୍ଚର୍ସ'କୁ ସମ୍ଭାଳିବେ। ତେବେ ଏପର୍ଯ୍ୟନ୍ତ ନୟନତାରାଙ୍କ ପକ୍ଷରୁ ଏହି ଖବରକୁ ନେଇ କୌଣସି ପ୍ରତିକ୍ରିୟା କିମ୍ବା ବିବୃତି ଆସିନାହିଁ। ଅନ୍ୟପକ୍ଷରେ ଏହି ଖବର ତାଙ୍କ ପ୍ରଶଂସକଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଛି।

ତେବେ ବିବାହର ୪ମାସ ପରେ ନୟନତାରା-ବିଗ୍ନେଶ ପିତାମାତା ହେବାକୁ ଅନେକ ପସନ୍ଦ କରିନଥିଲେ। ଏହାକୁ ନେଇ ବିବାଦ ବୃଦ୍ଧି ପାଉଥିବା ଦେଖି ଦମ୍ପତି ସରୋଗେସି ଆଇନ ଉଲ୍ଲଂଘନ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ତାମିଲନାଡୁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ପରେ ନୟନତାରା ଏବଂ ବିଗ୍ନେଶ ଶିବନ ଏକ ଆଫିଡେଭିଟ୍ ଦାଖଲ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ସେମାନଙ୍କ ବିବାହ ୬ବର୍ଷ ପୂର୍ବରୁ ପଞ୍ଜିକୃତ ହୋଇଥିବା ବେଳେ ଜୁନ୍ ୯, ୨୦୨୨ରେ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ। ଏଥିସହ ନୟନତାରା ଏବଂ ବିଗ୍ନେଶ ଶିବନ ଜଣାଇଥିଲେ ଯେ, ସେମାନଙ୍କ ସରୋଗେଟ୍ ନୟନତାରାଙ୍କ ଜଣେ ସମ୍ପର୍କୀୟ ଥିଲେ, ଯିଏ ଦୁବାଇରେ ନୟନତାରାଙ୍କ ବ୍ୟବସାୟ ସମ୍ଭାଳନ୍ତି। ଭାରତରେ ବ୍ୟବସାୟିକ ସରୋଗେସି ନିଷେଧ ହେବାର ସପ୍ତାହ ପୂର୍ବରୁ ଡିସେମ୍ବର ୨୦୨୧ରେ ସେମାନେ ସରୋଗେସି ପାଇଁ ପଞ୍ଜୀକୃତ କରିଥିଲେ।