ମୁମ୍ବାଇ: ଅଭିନେତ୍ରୀ ନୟନତାରା ସୁପରଷ୍ଟାର ଶାହରୁଖ ଖାନଙ୍କ ସିନେମା ‘ଯବାନ’ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି। ନୟନତାରାଙ୍କୁ ‘ଯବାନ’ ସିନେମାରେ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଛି। ପରଦାରେ ନୟନତାରାଙ୍କୁ ପୁଲିସ ଅଧିକାରୀ ଚରିତ୍ରରେ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ‘ଯବାନ’ ସିନେମା ରିଲିଜ ପରେ ଚର୍ଚ୍ଚାରେ ଥିବା ନୟନତାରା ଏବେ ନିଜ ବଲିଉଡ ଡେବ୍ୟୁକୁ ନେଇ ଖୁସି ନଥିବା କୁହାଯାଉଛି।

Advertisment

ଚର୍ଚ୍ଚା ହେଉଛି ଯେ, ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଥିବାରୁ ନୟନତାରା ଖୁସି ନାହାନ୍ତି। ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ମୁତାବକ, ଫିଲ୍ମ ରିଲିଜ୍ ପରେ ନୟନତାରାଙ୍କ ଅନେକ ଦୃଶ୍ୟ କଟାଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହା ସହ ଦୀପିକା ଫିଲ୍ମରେ କାମିଓ କରିଥିଲେ ବି ତାଙ୍କ ଚରିତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। 'ଯବାନ'କୁ ଶାହାରୁଖ-ନୟନତାରା ନୁହେଁ ବରଂ ଶାହରୁଖ-ଦୀପିକାଙ୍କ ଫିଲ୍ମ ବୋଲି ଦେଖାଯାଇଥିବାରୁ ନୟନତାରା ଫିଲ୍ମ ପ୍ରଚାରର କୌଣସି କାର୍ଯ୍ୟକ୍ରମ ଓ ଫିଲ୍ମ ସଫଳ ହେବା ପରେ ହୋଇଥିବା ପାର୍ଟିରେ ବି ଯୋଗ ଦେଇନଥିବା କୁହାଯାଉଛି। ଏହି କାରଣରୁ ନୟନ ଏବେ ଆଉ ବଲିଉଡରେ ଡେବ୍ୟୁ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଏଭଳି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ ନୟନତାରା କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ନୟନତାରା ଯେତେବେଳେ କୌଣସି ଫିଲ୍ମ ସାଇନ୍ କରନ୍ତି, ସେଥିରେ ସେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ ଲେଖାଥାଏ। କେବଳ ‘ଯବାନ’ ନୁହେଁ ଅନ୍ୟ ଭାଷାରେ କରିଥିବା ଫିଲ୍ମର ପ୍ରଚାର ମଧ୍ୟ ନୟନତାରା କରିନାହାନ୍ତି।