ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟରେ ଲଢ଼ି ସାଂସଦ ହୋଇଛନ୍ତି। ଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ବର ଉତ୍ତୋଳନ କରୁଥିବା କଙ୍ଗନାଙ୍କୁ ବିଜେପି ମଣ୍ଡିରୁ ଟିକେଟ ଦେଇଥିଲା। ଟିକେଟ ପାଇ କଙ୍ଗନା ନିଜର ଦମ୍ ଦେଖାଇବା ସହ ବହୁମତ ହାସଲ କରିଥିଲେ। ସାଂସଦ ହେବାକୁ କିଛି ମାସ ବିତିଥିବା ବେଳେ ଏବେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଲୋକସଭା ନିର୍ବାଚନ ସମୟରେ ପ୍ରାର୍ଥିପତ୍ର ଦାଖଲ ବେଳେ କଙ୍ଗନା ନିଜ ସମ୍ପତ୍ତିର ବିବରଣୀ ଦେଇଥିବା ବେଳେ ସେ କେତେ କୋଟିର ମାଲିକାଣୀ ତାହା ଜଣାଯାଇଛି। ସତ୍ୟପାଠ ଅନୁଯାୟୀ, କଙ୍ଗନା ରାଣାୱତ ମୋଟ ୯୧କୋଟି ଟଙ୍କାର ମାଲିକାଣୀ ହୋଇଥିବା ବେଳେ ୧୭କୋଟି ଟଙ୍କାର ଋଣ କରିଛନ୍ତି। ଅଭିନେତ୍ରୀ ଫିଲ୍ମ ସହ ବିଭିନ୍ନ ବ୍ୟବସାୟରେ ନିବେଶ କରି ଟଙ୍କା ଆୟ କରନ୍ତି। ଏବେ ସାଂସଦ ହୋଇଥିବାରୁ ତାଙ୍କ ଆୟ ବଢ଼ିଛି ନିଶ୍ଚୟ।

ତେବେ ରାଜନୀତିକୁ ଆସିବା ପରଠୁ ସେ ବିବାଦୀୟ ହେବାରେ ଲାଗିଛନ୍ତି। ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟରେ କୃଷି ଆଇନ ଉପରେ ବିଜେପି ସାଂସଦ କଙ୍ଗନା ରାନାୱତ ଦେଇଥିବା ବିବୃତି ଭାରତୀୟ ଜନତା ପାର୍ଟୀର ସମସ୍ୟା ବଢ଼ାଉଥିବା ଜଣାପଡିଛି। କିଛି ଦିନ ତଳେ ବିଜେପି କହିଥିଲା ଯେ, କଙ୍ଗନା ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ। ଦଳ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏହା ସତ୍ତ୍ବେ ବି କଙ୍ଗନାଙ୍କୁ ଓ ବିଜେପିକୁ ଟାର୍ଗେଟ କରାଯାଉଥିବାରୁ ଅଭିନେତ୍ରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି।  

ନିଜର ଏକ ଭିଡିଓ ଏକ୍ସରେ ପୋଷ୍ଟ କରି ମଣ୍ଡି ସାଂସଦ କଙ୍ଗନା ରାନାୱତ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଗଣମାଧ୍ୟମ ମୋତେ କୃଷି ଆଇନ ଉପରେ ଅନେକ ପ୍ରଶ୍ନ ପଚାରିଥିଲା। ଉତ୍ତରରେ ମୁଁ କହିଥିଲି ଯେ, "ଯେତେ ବି ଚାଷୀ ଭାଇ ଅଛନ୍ତି, ସେମାନେ ସମସ୍ତେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଆଇନକୁ ଫେରାଇ ଆଣିବାକୁ ଅନୁରୋଧ କରିବା ଉଚିତ୍ । ମୋର ଏହି କଥା କିଛି ଜଣକୁ ନିରାଶ କରିଥିଲା। ମୁଁ ବର୍ତ୍ତମାନ ଧ୍ୟାନ ଦେବା ଉଚିତ୍ ଯେ ମୁଁ ଏବେ କେବଳ ଜଣେ ଅଭିନେତ୍ରୀ ନୁହେଁ, ବରଂ ବିଜେପିର ସାଂସଦ। ତେଣୁ ମୋର ମତ ଦଳର ହେବା ଉଚିତ, ବ୍ୟକ୍ତିଗତ ନୁହେଁ। ମୋର ମନ୍ତବ୍ୟ ଦ୍ବାରା ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ମୁଁ ଦୁଃଖିତ ଏବଂ ମୁଁ ମୋର କଥାକୁ ଫେରାଇ ନେଉଛି। ”