ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ହଲିଉଡ୍‌ର ଲୋକପ୍ରିୟ ଷ୍ଟୁଡିଓ ୱାନର ବ୍ରଦର୍ସକୁ କିଣିବା ଦୌଡ଼ରୁ ଷ୍ଟ୍ରିମିଂ କମ୍ପାନି ନେଟ୍‌ଫ୍ଲିକ୍ସ ଓହରିଯାଇଛି। ଅଧିଗ୍ରହଣ ପାଇଁ ନିଜ ଅଫର ମୂଲ୍ୟ ବଢ଼ାଇବାକୁ ଏହା ମନା କରିଦେଇଛି। ୱାର୍ନର ବ୍ରଦର୍ସକୁ କିଣିବା ପାଇଁ ନେଟ୍‌ଫ୍ଲିକ୍ସ ଓ ପାରାମାଉଣ୍ଟ୍‌ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଥିଲା। ନେଟ୍‌ଫ୍ଲିକ୍ସ ଓହରିଯିବାରୁ ପାରାମାଉଣ୍ଟ୍‌ ହାତକୁ ୱାର୍ନର ବ୍ରଦର୍ସ ଆସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

Advertisment

ପାରାମାଉଣ୍ଟ୍‌ର ଅଫରକୁ ୱାର୍ନର ବ୍ରଦର୍ସ ବୋର୍ଡ ଆକର୍ଷଣୀୟ ବୋଲି କହିବା ପରେ ନେଟ୍‌ଫ୍ଲିକ୍ସ ଦୌଡ଼ରୁ ଓହରିଯିବାକୁ ଉଚିତ୍‌ ମଣିଥିଲା। ବିଡ୍‌ ମୂଲ୍ୟ ବଢ଼ାଇବା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବନାହିଁ ବୋଲି ନେଟ୍‌ଫ୍ଲିକ୍ସ କହିଛି। ନେ୍‌ଟଫ୍ଲିକ୍ସର ସିଇଓ ଟେଡ୍‌ ସାରାଣ୍ଡସ୍‌ ଓ ଗ୍ରେଗ୍‌ ପିଟର୍ସ ଏକ ଯୁଗ୍ମ ବିବୃତିରେ କହିଛନ୍ତି ଯେ ଆମର ବିଶ୍ବାସ ଥିଲା ୱାର୍ନର ବ୍ରଦର୍ସର ଆମେ ଭଲ ଭାବେ ଦେଖାଶୁଣା କରିପାରିବୁ। ଆମେ ଦେଇଥିବା ଅଫର ଉଚିତ୍‌ ମୂଲ୍ୟର ଥିଲା। ଆମେ ‌‌ଯେକୌଣସି ମୂଲ୍ୟ ଦେବାକୁ ଚାହୁନାହୁଁ ବୋଲି ସେମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: Cricket: ଅଭିଷେକଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ଗାଭାସ୍କର

ଗତବର୍ଷ ଡିସେମ୍ବରରୁ ଏହି ଅଧିଗ୍ରହଣକୁ ନେଇ ପ୍ରତିଯୋଗିତା ତୀବ୍ର ହୋଇଥିଲା। ଆରମ୍ଭରୁ ୱାର୍ନର ବ୍ରଦର୍ସ ବୋର୍ଡ କର୍ତ୍ତୃପକ୍ଷ ନେଟ୍‌ଫ୍ଲିକ୍ସର ଅଫରକୁ ସମର୍ଥନ କରୁଥିଲେ। ପାରାମାଉଣ୍ଟ୍‌ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ହୋଇଥିବାରୁ ତାହାର ଅଫର୍‌ ପ୍ରତି ବିଶେଷ ଆଗ୍ରହ ଦେଖାଇନଥିଲେ। ମାତ୍ର ପାରାମାଉଣ୍ଟ୍‌ ବଡ଼ ଅଫର ଦେବା ପରେ ସେମାନେ ନିଷ୍ପତ୍ତିର ପୁନର୍ବିଚାର କରିଥିଲେ।

ୱାର୍ନର ବ୍ରଦର୍ସକୁ କିଣିବା ପାଇଁ ନେଟ୍‌ଫ୍ଲିକ୍ସ ସେୟାର ପିଛା ୨୭.୭୫ ଡଲାରର ଅଫର୍‌ ଦେଇଥିଲା। ପାରାମାଉଣ୍ଟ୍‌ କିନ୍ତୁ ସେୟାର ପିଛା ୩୧ ଡଲାର ଦେବାକୁ ରାଜି ହୋଇଥିଲା। ୱାର୍ନର ବ୍ରଦର୍ସକୁ କିଣିବା ପରେ ପାରାମାଉଣ୍ଟ୍‌ ଅଧୀନକୁ ଏଚ୍‌ବିଓ ମ୍ୟାକ୍ସ, ହାରି ପୋଟର, ସୁପରମ୍ୟାନ୍‌, ବାର୍ବି ଭଳି ସିନେମା ଓ ସିଏନ୍‌ଏନ୍‌ ଭଳି ଚ୍ୟାନେଲ୍‌ ଆସିଯିବ। ପାରାମାଉଣ୍ଟ୍‌ ପାଖରେ ସିବିଏସ୍‌, ଏମ୍‌ଟିଭି ଓ ନିକେଲୋଡିଅନ୍‌ ଭଳି ଚ୍ୟା‌ନେଲ୍‌ ଏବଂ ଟପ୍‌ ଗନ୍‌ ଓ ଟାଇଟାନିକ୍‌ ଓ ଗଡ୍‌ଫାଦର୍‌ ଭଳି ସିନେମା ରହିଛି।

ଆହୁରି ପଢ଼ନ୍ତୁ: Cricket: ଅଭିଷେକଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ଗାଭାସ୍କର

ପ୍ରାରମ୍ଭିକ ପର୍ଯ୍ୟାୟରେ ୱାର୍ନର ବ୍ରଦର୍ସ ଓ ନେଟ୍‌ଫ୍ଲିକ୍ସର ମିଶ୍ରଣରେ ଏକ ବୃହତ୍‌ ଷ୍ଟ୍ରିମିଂ ସଂସ୍ଥା ଗଢ଼ିବାର ଯୋଜନା ଥିଲା। କିନ୍ତୁ ‌ଦୌଡ଼ରେ ପାରାମାଉଣ୍ଟ୍‌ ସାମିଲ ହେବା ପରେ ସମୀକରଣ ବଦଳିଯାଇଥିଲ। କିନ୍ତୁ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ବିଶେଷଜ୍ଞମାନେ ଏହି ଅଧିଗ୍ରହଣକୁ ନେଇ ସତର୍କ କରାଇଛନ୍ତି। କିଛି ହାତଗଣତି ସଂସ୍ଥା କବ୍‌ଜାରେ ସମଗ୍ର ମନୋରଞ୍ଜନ ଶିଳ୍ପ ରହିବା ହିତକର ନୁହେଁ ବୋଲି ସେମାନେ କହିଛନ୍ତି।