‘ଯଦି ମୋ ପୁଅ ମୁସେୱାଲାଙ୍କୁ ହତ୍ୟା କରିଛି, ତେବେ ପୁଲିସ ତାକୁ ଏନକାଉଣ୍ଟର କରିଦେଉ’

ଚଣ୍ଡିଗଡ଼: ବହୁଚର୍ଚ୍ଚିତ ଗାୟକ ସିଦ୍ଧୁ ମୁସେଓ୍ଵାଲା ହତ୍ୟାକାଣ୍ଡର ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି । ଗୋଲ୍ଡୀ ବରାରଠାରୁ ଲରେନ୍ସ ବିଷ୍ଣୋଇଙ୍କ ଭଳି ଅନେକ ଅଭିଯୁକ୍ତ ଏହି ହତ୍ୟାକାଣ୍ଡରେ ସାମିଲ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ।  ଏବେ ଅନ୍ୟ ଜଣକ ନାଁ ସାମ୍ନାକୁ ଆସିଛି। ସେ ହେଲା ଜଗରୂପ୍ ସିଂ ।

ଜଗରୂପ୍ ସିଂ ତରନତାରନରେ ରହୁଥିବା ଜଣାପଡ଼ିଛି । ପୁଲିସ ହାତରେ ଅଭିଯୁକ୍ତ ଜଗରୂପ୍ ସିଂ ବିରୋଧରେ କିଛି ତଥ୍ୟ ଲାଗିବା ପରେ ଅଭିଯୁକ୍ତକୁ ଧରିବାକୁ ଯୋଜନା କରିଥିଲା । ହେଲେ ପୁଲିସ ଜଗରୂପ୍ ସିଂର ଘରେ ପହଞ୍ଚିଲା ବେଳକୁ ତା’ ଘରେ ତାଲା ପଡ଼ିଥିଲା । ଏବେ ଯାଏଁ ତାକୁ  ପୁଲିସ ଗିରଫ କରିପାରି ନାହିଁ । କିନ୍ତୁ ତାର ପରିବାର ଲୋକ ଗଣମାଧ୍ୟମ ଆଗରେ ଅଭିଯୁକ୍ତ ବିଷୟରେ ବହୁ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ସେ ଆଗରୁ ଘରକୁ ନିଶା ସେବନ କରି ଆସୁଥିଲା ଓ ନିଜ ଘରୁ ଚୋରି କରିଥିବା କଥା ତାର ମାଆ ପୁଲିସକୁ କହିଥିଲେ। ଉକ୍ତ ହତ୍ୟାକାଣ୍ଡରେ ସେ ଯଦି ସମ୍ପୃକ୍ତ ଥାଏ ତେବେ ପୁଲିସର କାର୍ଯ୍ୟାନୁଷ୍ଠାନରେ ସେ ଦୁଃଖ ପ୍ରକାଶ କରିବେ ନାହିଁ ବୋଲି ତା’ର ମାଆ କହିଛନ୍ତି । ସେ ଆହୁରି ବି କହିଛନ୍ତି, ଭୁଲ କଲେ ଦଣ୍ଡ ପାଇବା ଦରକାର- ‘ଯଦି ମୋ ପୁଅ ମୁସେୱାଲାଙ୍କୁ ହତ୍ୟା କରିଛି, ତେବେ ପୁଲିସ ତାକୁ ଏନକାଉଣ୍ଟର କରିଦେଉ’ ।

ଜଗରୂପ୍ ସିଂ ଘରେ ନମିଳିବା ପରେ ପୁଲିସ ଏବେ ଧରିବାକୁ ଯୋଜନା ପ୍ରସ୍ତୁତ କରୁଛି।  ତେବେ ସୋମବାର ପଞ୍ଜାବ ପୁଲିସ କେକଡ଼ା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ଘଟଣା ଦିନ ସୁଟରମାନଙ୍କୁ ଗାଡି ଯୋଗାଇବା ସହ ସିଙ୍ଗର ମୁସେଓ୍ଵାଲାଙ୍କ ସଂପର୍କରେ ସୂଚନା ଦେଇଥିଲା। ଏହାପୂର୍ବରୁ ସେ ଜଣେ ପ୍ରଶଂସକ ଭାବେ ମୁସେୱାଲାଙ୍କୁ ଭେଟିଥିଲା, ତାଙ୍କ ସହ ସେଲଫି ନେଇଥିଲା । ତା’ପରେ ପରେ ଯେତେବେଳେ ଗାୟକ ତାଙ୍କ ଘରୁ ବାହାରକୁ ଆସିଲେ, କେକଡ଼ା ସୁଟରମାନଙ୍କୁ ସତର୍କ କରାଇଲା ଏବଂ ସିଦ୍ଧୁ ମୁସେୱାଲାଙ୍କୁ ରାସ୍ତା ମଝିରେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କାନାଡାରେ ଥିବା ଗୋଲ୍ଡି ବରାର ବୋଲି କୁହାଯାଉଛି । ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହିତ ଗୋଲ୍ଡି ବରାର୍ ଅତି ନିକଟତର । ସେମାନେ ତାଙ୍କ ବନ୍ଧୁ ବିକି ମିଡ୍ଡୁଖେଡାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଏହି ହତ୍ୟାକାଣ୍ଡ କରିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର